ଟିକେଟ ନେଇ ମୁହଁ ଖୋଲିଲେ ଅରୂପ

27

ପୁଣି ଚର୍ଚ୍ଚାରେ ଦବଙ୍ଗ ବାବୁ । ଟିକେଟକୁ ନେଇ ମୁହଁ ଖୋଲିଲେ ଅରୂପ । ଟିକେଟ ଆଳରେ ମାରିଲେ ତେରେଛା ବାଣ । ଟିକେଟ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ସେ କହିଛନ୍ତି ମୁଁ ଇଲେକସନ୍ ଜିତିବି କି ହାରିବି ଜାଣିନି । ବିଶ୍ୱକପ ହକି ସମୟରେ ହକି ଟିକେଟ୍ କେଉଁଠୁ ମିଳିଲା ସେ ସମ୍ପର୍କରେ ଜାଣିପାରିଲିନି, ଆଉ ଦଳର ଟିକେଟ ସମ୍ପର୍କରେ କଣ ଜାଣିବି ବୋଲି ସେ କହିଛନ୍ତି । ତେବେ ଖୋର୍ଦ୍ଧାରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅରୂପ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଓ କାହାକୁ ଟାର୍ଗେଟ କରି ଏହି ଟିକେଟ ପ୍ରସଙ୍ଗ କଥା କହିଲେ ଅରୂପ, ତାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଲାଗି ରହିଛି ।

ନବୀନ ପଟ୍ଟନାୟକ ସବୁବେଳେ ଟିକେଟ ନେଇ ସରପ୍ରାଇଜ ଦେବାରେ ମାଷ୍ଟର ଥିବା ବେଳେ ହୁଏତ ସୁପ୍ରିମୋଙ୍କ କଥା ଅରୂପ କହିଥିବେ ବୋଲି ଆଲୋଚନା ହେଉଛି । ତେବେ ପୂର୍ବରୁ ମୁମ୍ବାଇ କମିଶନର ଥିବା ଅରୂପ ୨୦୧୮ ଏପ୍ରିଲ ୧୮ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ବିଜେପିର ପ୍ରାର୍ଥୀ ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀଙ୍କୁ ଠାରୁ ପରାସ୍ତ ହୋଇଯାଇଥିଲେ । ଅପରାଜିତାଙ୍କୁ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ମିଳିଥିବା ବେଳେ ଅରୂପଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ମିଳିଥିଲା । କିନ୍ତୁ ଏଥର ବିଜେଡି ତାଙ୍କୁ ପୁଣି ଥରେ ଭୁବନେଶ୍ୱରରୁ ରିପିଟ କରିବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖାଦେଇଛି । ୧୯୯୮ ମସିହାରୁ ଲଗାତାର ୫ ଥରର ବିଜେଡି ଦଖଲରେ ଥିବା ଭୁବନେଶ୍ୱର ଆସନକୁ ୧୯ରେ ଛଡାଇ ନେଇଥିଲା ବିଜେପି । ସେଥିପାଇଁ ବିଜେଡି ଏଠାରେ ହୁଏତ ଅରୂପଙ୍କୁ ଟିକେଟ ନଦେଇ ୫-୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପରେ ପୁଣି ଭରସା କରିପାରେ ।

କିନ୍ତୁ ଭାରତୀୟ ଜନତା ପାର୍ଟି ଯଦି ଅପରାଜିତାଙ୍କୁ ଟିକେଟ ଦିଏ, ତେବେ ବିଜେଡି ମଧ୍ୟ ଜଣେ ପୂର୍ବତନ ଆଇଏଏସ କିମ୍ବା ଆଇପିଏସଙ୍କୁ ଟିକେଟ ଦେଇପାରେ । ଭୁବନେଶ୍ୱର ଆସନ ରାଜ୍ୟ ରାଜନୀତିକୁ ବେଶ ପ୍ରଭାବିତ କରୁଥିବା ବେଳେ ଟିକେଟକୁ ନେଇ ଅରୂପ ଏଭଳି ବୟାନକୁ ନେଇ ବେଶ ସରଗରମ ହୋଇଛି ରାଜନୈତିକ ପାଣିପାଗ ।

Comments are closed, but trackbacks and pingbacks are open.