ଆଦାନୀ-ହିଣ୍ଡେନବର୍ଗ ବିବାଦ : ରିପୋର୍ଟ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

20

ଆଦାନୀ ଓ ହି‌ଣ୍ଡେନ୍‌ବର୍ଗ ମାମାଲାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବଜାର ନିୟାମକ ସଂସ୍ଥା ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଜେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ ଯେ, ସେବି ପୂର୍ବରୁ ହିଁ ଉଭୟ ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରୁଛି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ଅଧ୍ୟକ୍ଷତା କରୁଥିବା ବେଳେ ବ୍ୟାଙ୍କର କେ.ପି କାମତ, ଓ.ପି ଭଟ୍ଟଙ୍କ ସହ ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣୀ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦେବଘର, ବ୍ୟବସାୟୀକ ଆଇନ ବିଶେଷଜ୍ଞ ଓକିଲ ସୋମଶେଖରନ ସୁନ୍ଦରେସନ ସାମିଲ ଅଛନ୍ତି ।

ସଂପୃକ୍ତ ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି କି ବଜାର ନିୟାମକ (ସେବି)କୁ ୨ମାସ ମଧ୍ୟରେ ଏହି ମାମଲାର ଯାଂଚ ରିପୋର୍ଟ ଦାଖଲ କରିବା ଆବଶ୍ୟକ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପରିଦୱାଲଙ୍କ ବେଞ୍ଚର ନିଷ୍ପତ୍ତି ମୁ୍ତାବକ ଏକ୍ସପର୍ଟ କମିଟି ନିଜର ରିପୋର୍ଟକୁ ବନ୍ଦ ଲଫାପାରେ ନ୍ୟାୟଳୟରେ ଜମା କରିବେ । ଏହି କମିଟି ଆଦାନୀ ଗ୍ରୁପ ସହିତ ଜଡିତ ବିବାଦର ଯାଂଚ ସହ ସାମ୍ବିଧାନିକ ଫ୍ରେମୱାର୍କ ମଜବୁତ କରିବା ଉପରେ ପରାମର୍ଶ ମଧ୍ୟ ଦେବେ ।

ଉଲ୍ଲେଖଯୋଗ୍ୟ ଯେ , ଗବେଷକ ସଂସ୍ଥା ହି‌ଣ୍ଡେନ୍‌ବର୍ଗ ଆଦାନୀ ଗ୍ରୁପ୍‌ ବିରୋଧରେ ହିସାବ ଠକେଇ ଏବଂ ଷ୍ଟକ୍ ହେରଫେର ସମେତ ଅନ୍ୟାନ୍ୟ ଅଭିଯୋଗ ଆଣିବା ପରେ ଏ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ଅଦାନି ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗଣମାଧ୍ୟମ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢିଥିଲା ଏବଂ ଦୁହେଁ ନିଜ ଦାବି ଉପରେ ଅଟଳ ରହିଛନ୍ତି। ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ କମ୍ପାନିର ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍ ଅଧିନସ୍ଥ କମ୍ପାନିଗୁଡ଼ିକ ବ୍ୟାପକ କ୍ଷତି ସହିସାରିଲେଣି ।

Comments are closed, but trackbacks and pingbacks are open.