ଆରମ୍ଭ ହେଲା ଆଦିବାସୀ ମେଳା, ୧୨୧ ଷ୍ଟଲରେ ପ୍ରଦର୍ଶିତ ହେବ ଜଙ୍ଗଲଜାତ ଉତ୍ପାଦ ଓ କଳା ସାମଗ୍ରୀ

26

ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ରାଜଧାନୀବାସୀଙ୍କୁ ଏଭଳି ଗାଁ ଜୀବନ ଶୈଳୀର ନିଚ୍ଛକ ରୂପ ଦେଖାଇବ ଆଦିବାସୀ ପଡ଼ିଆ । ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ମହକିବ ୟୁନିଟ୍‌-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆ। ଝାଟିମାଟି କୁଡ଼ିଆ ସାଙ୍ଗକୁ ଆଦିବାସୀ ଚଳଣି, ପରମ୍ପରା ଓ ଗୃହ ଉପକରଣ ସହରିଆଙ୍କୁ କରିବ ଆକର୍ଷିତ । ସଂଧ୍ୟା ହେଲେ ଆଦିବାସୀ ନୃତ୍ୟ ଓ ଗୀତରେ ଦୁଲୁକିବ ଆଦିବାସୀ ପଡ଼ିଆ । ଆଦିବାସୀ ହସ୍ତଶିଳ୍ପର ନିଆରା ପସରାକୁ ଦେଖିବା ଲାଗି ଗ୍ରାହକଙ୍କ ଜମିବ ଭିଡ଼ । ଫେବୃଆରୀ ୨୦ ରୁ ମାର୍ଚ୍ଚ ୧ ଯାଏ ଚାଲିବ ମେଳା । ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୩ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ମେଳାକୁ ରାଜ୍ୟର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକ ମାନେ ନିଜ ହାତ ତିଆରି ଜିନିଷ ନେଇ ଆସିଛନ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସଂଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।

ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ ହେଉଥିବା ଏହି ମେଳା ପୁରୁଷ ହକି ବିଶ୍ୱକପ୍‌ ପାଇଁ ୨୫ ଦିନ ବିଳମ୍ବରେ ଅନୁଷ୍ଠିତ ହୋଇଛି ଏହି ମେଳା । ଏହି ମେଳା ପରିସରରେ ଆଦିବାସୀ ଗ୍ରାମପୁଞ୍ଜରେ ଜୁଆଙ୍ଗ,ଓରାଓଁ ମୁଣ୍ଡା, ସାନ୍ତାଳ, କିସାନ, ମୁଣ୍ଡାରୀ ସଉରା ବଣ୍ଡା ଭଳି ବିଭିନ୍ନ ଜନଜାତିର ଘର ଦେଖିବାକୁ ମିଳିବ । ଆଦିବାସୀ ଗ୍ରାମ ସହ ଏହି ମେଳାରେ ଜନଜାତି ସ୍ୱୟଂସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ ଓ ଖାଦ୍ୟ ବଜାର ଆଦିର ଆୟୋଜନ କରାଯାଇଛି ।

ଚଳିତ ବର୍ଷ କରୋନା କଟକଣା ନଥିବାରୁ ମେଳାରେ ଅଧିକ ସଂଖ୍ୟାରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ମେଳା ପରିସରରେ ଆଗନ୍ତୁକଙ୍କ ପାଇଁ ମୋଟ୍‌ ୩ଟି ଫାଟକ ରହିବ। ସେଥିମଧ୍ୟରୁ ୨ଟି ଫାଟକ ପ୍ରବେଶ ପାଇଁ ରହିବ ଏବଂ ଗୋଟିଏ ଫାଟକ ପ୍ରସ୍ଥାନ ପାଇଁ ରହିବ।

Comments are closed, but trackbacks and pingbacks are open.