କାହିଁକି ପାଳନ କରାଯାଏ ମହା ଶିବରାତ୍ରୀ

37

ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ ଶନିବାର ଦିନ ପାଳନ କରାଯିବ I ହିନ୍ଦୁ ସନାତନ ଧର୍ମ ଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି ମହାଶିବରାତ୍ରୀ ବ୍ରତ I ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ I ଏହି ବ୍ରତରେ ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବଶଙ୍କର I ମାନ୍ୟତା ଅନୁସାରେ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଥିବା ଶୈବ ପୀଠ ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ବ୍ରତ କୁ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ । ଏହିଦିନ ଭଗବାନ ଶିବଙ୍କ ସହିତ ମାତା ଗୌରୀଙ୍କୁ ମଧ୍ୟ ଆରାଧନା କରାଯାଇଥାଏ I

ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଅନ୍ୟ ବ୍ରତ ତୁଳନାରେ ଶିବରାତ୍ରୀ ବ୍ରତ ପାଳନ କରିବା ପାଇଁ ସ୍ୱତନ୍ତ୍ର ନୀତି ନିୟମ ରହିଛି I ଏହି ବ୍ରତ ପାଳନ ଉଭୟେ ସ୍ତ୍ରୀ ଓ ପୁରୁଷ ମିଶି କରି ପାରିବେ I ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ।

ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ‘ ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ । ଏହାକୁ ଜାଗର ବ୍ରତ ମଧ୍ୟ କୁହାଯାଇଥାଏ I ଏହି ବ୍ରତରେ ମହାଦୀପ ଉଠାଇବାର ପରମ୍ପରା ମଧ୍ୟ ରହିଛି I ଏହି ମହାଦୀପ ସ୍ଥାନ ଅନୁସାରେ ପ୍ରଚଳିତ ସମୟରେ ହୁଏ I ବ୍ରତଧାରୀ ମାନେ ଶିବରାତ୍ରୀ ଦିନ ଶୁଦ୍ଧପୂତ ଓ ଶ୍ରଦ୍ଧାର ସହକାରେ ଭଗବାନ ଶିବଙ୍କର ଆରାଧନା କରି ନିଜ ପରିବାର ଓ ସଂସାରର ମଙ୍ଗଳ କାମନା କରିଥାନ୍ତି I

Comments are closed, but trackbacks and pingbacks are open.