ଘୁଞ୍ଚିଲା ସାଲୁଜାଙ୍କ ପୁଅଙ୍କ ଜାମିନ ଆବେଦନ

21

ପୁଣି ଜେଲକୁ ଫେରିଲେ ସେଜି । ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି । ଘୁଞ୍ଚିଲା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅଙ୍କ ଜାମିନ ଆବେଦନ । ଫଳରେ ପୁଣି ଥରେ ପାଟଣାଗଡ ଉପକାରଗାରକୁ ଫେରି ଯାଇଛନ୍ତି ସେଜି । ଗତକାଲି ସାଲୁଜାଙ୍କ ପୁଅ ସେଜି ସିଂହ ସାଲୁଜାଙ୍କ ଜାମିନ ଆବେଦନର ଶୁଣାଣି ପାଟଣାଗଡ ଏଡିଜେଙ୍କ ଅଦାତଲରେ ରହିଥିଲା । ହେଲେ ପୋଲିସ ପକ୍ଷରୁ କେସ ଡାଏରୀ ଦାଖଲ କରାଯାଇ ନଥିବାରୁ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଏହି ଜାମିନ ଆବେଦନର ଶୁଣାଣିକୁ ସ୍ଥାନୀୟ ଏଡିଜେଙ୍କ ଅଦାଲତ ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ଫଳରେ ସେଜିଙ୍କୁ ପୁଣି ଥରେ ପାଟଣାଗଡ ଉପକାରଗାରକୁ ଫେରିବାକୁ ପଡିଛି । ତେବେ ଗତ ୧ ତାରିଖ ଦିନ ଅମିତ ଓରଫ ସେଜି ସିଂ ସାଲୁଜା ତାଙ୍କ ସାଙ୍ଗମାନଙ୍କ ସହ ଆଲିସାନ ସିନେମାହଲକୁ ଯାଇ ସେଠାରେ ଗାଳି ଗୁଲଜ, ଗଣ୍ଡଗୋଳ, ବନ୍ଧୁକ ମୁନରେ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ବେଲପଡା ଥାନାରେ ସିନେମା ହଲ ମାଲିକ ଏତଲା ଦେବା ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ସେଜିଙ୍କ ସହ ତାଙ୍କ ୫ ଜଣ ସାଙ୍ଗ ଅଜୟ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ବିପୁଲ ମାରୁ, ଧରମବୀର ଗୁପ୍ତା ଓ ରାଜା ପାତ୍ରଙ୍କୁ ଗିରଫ କରି ପାଟଣାଗଡ ଏଡିଜେ କୋର୍ଟକୁ ଚାଲାଣ କରିଥିଲା । ଆଲିସାନ ସିନେମା ହଲ ଗଣ୍ଡଗୋଳରେ ପିସ୍ତଲ ବ୍ୟବହାର ଅଭିଯୋଗ ହୋଇଥିବାରୁ ପୋଲିସ ସେଜି ଫିଟନେସ ସେଣ୍ଟରରେ ଚଢାଉ କରି ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦ ଓ ନଗଦ ୧୯ ଲକ୍ଷ ଟଙ୍କା ଜବତ ମଧ୍ୟ କରିଥିଲା ।

ସେପଟେ ଆଲିସାନ ସିନେମା ହଲରେ ଜଣେ ପୋଲିସ ଡିଜିଙ୍କ ପାର୍ଟନରସିପ୍ ରହିଛି, ତାଙ୍କ ପୁଅଙ୍କ ନାଁରେ ସଂଗୀନ ଅଭିଯୋଗ ଲଗାଇ ତାଙ୍କୁ ଗିରଫ କରାଯାଇଛି ବୋଲି ବିଧାୟକ ସଂନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ । ତେବେ ଘଟଣାକୁ ୧୧ ଦିନ ବିତିଯାଇଥିବା ବେଳେ ଏ ଯାଏଁ ପୋଲିସ କଣ ପାଇଁ କେସ ଡାଏରୀ ଦାଖଲ କରିନାହିଁ ଉଠିଛି ପ୍ରଶ୍ନବାଚୀ ।

Comments are closed, but trackbacks and pingbacks are open.