ତୁର୍କୀରେ ୫ଥର ଭୂମିକମ୍ପ ଝଟକା,୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

21

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂମିକମ୍ପ I ଗତ ୨୪ ଘଣ୍ଟା ମଧ୍ୟରେ ୫ ଥର ପାଇଁ ଭୂମିକମ୍ପର ଝଟ୍‌କା ଅନୁଭୂତ ହେଲାଣି। ମଙ୍ଗଳବାର ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି। ତେବେ ଏଥିରେ ବିଲ୍ଡିଂ ଓ ଅନ୍ୟ କୋଠା ଘର ଗୁଡିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ରୟଟର୍ସ ସୂଚନା ଦେଇଛି Iସୋମବାର ସକାଳେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିଆରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ବର୍ତ୍ତମାନ ସୁଦ୍ଧା ୨୩ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୧୪ ହଜାରରୁ ଅଧିକ। ସେହିପରି ସିରିଆରେ ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ। ସେଠାକାର ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ବଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ କହିଛି ଯେ ଏହି ଭୂକମ୍ପ ତୁର୍କୀର ପ୍ରସିଦ୍ଧ ବାଣିଜ୍ୟିକ ସହର ଗାଜିଆଣ୍ଟେପ ଠାରୁ ପ୍ରାୟ ୩୩ କିଲୋମିଟର (୨୦ମାଇଲ) ଏବଂ ନୁରଦାଗି ସହରଠାରୁ ପ୍ରାୟ ୨୬ କିଲୋମିଟର ଦୂରରେ ରେ ସଂଘଠିତ ହୋଇଥିଲା । ଏହାର କିଛି ଘଣ୍ଟା ପରେ, ଦକ୍ଷିଣ ପୂର୍ବ ତୁର୍କୀର କାହରମାନମାରାସ୍ ଅଞ୍ଚଳରେ ୭.୬ ମ୍ୟାଗ୍ନିଚ୍ୟୁଡର ଦ୍ୱିତୀୟ ଭୂକମ୍ପ ଘଟିଥିଲା। ଏହା ଭୂମିଠାରୁ ୭ କିଲୋମିଟର ଗଭୀରତାରେ ଘଟିଥିଲା ​​ଏବଂ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କାହରାମନାରାସ ପ୍ରଦେଶର ଏଲବିସ୍ତାନ ଅଞ୍ଚଳ I ସେହିଭଳି ପୁଣି ସନ୍ଧ୍ୟାରେ କେନ୍ଦ୍ରୀୟ ତୁର୍କୀରେ ୬.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ଅତି କମରେ ୨,୬୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ ଏବଂ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା।

ସୂଚନାନୁସାରେ ଗତ ୮୦ ବର୍ଷ ମଧ୍ୟରେ ତୁର୍କୀର ଏହା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହା ଯାଉଛି I ଏଥିରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଭୂମିକମ୍ପ ପ୍ରଭାବିତ ତୁର୍କୀ ଓ ସିରିଆରେ ରାତିରେ ଲୋକ ରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଛି ।

ତୁର୍କୀ ଓ ସିରିୟା‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି। ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି। ସେହିପରି ସିରିୟାର ଆଲେପ୍ପୋରେ ୧୨ରୁ ଅଧିକ ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ସିରିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୂକମ୍ପ ଅଧିକ ଭୟଙ୍କର ଥିଲା ବୋଲି ସୂଚନା ମିଳୁଛି I ଭୂକମ୍ପ ସ୍ଥିତିକୁ ନେଇ ତୁର୍କୀରେ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଅନ୍ୟପଟେ ବିପଦ ସମୟରେ ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ପଠାଇବା ଆରମ୍ଭ କରିଛନ୍ତି।

Comments are closed, but trackbacks and pingbacks are open.