କିଟ୍‍ ଓ କିସ୍‍ ପରିଦର୍ଶନ କଲେ ୱେଲସ୍‍ ହକି ଟିମ୍‍

28

ଭୁବନେଶ୍ୱର, ୧୭ ।୧: ପୁରୁଷ ହକି ବିଶ୍ୱକପ୍‍ ଚାମ୍ପିଅନ୍‍ସିପ୍‍ରେ ଭାଗ ନେବାକୁ ଆସିଥିବା ୱେଲସ୍‍ ହକି ଟିମ୍‍ ମଙ୍ଗଳବାର କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । କିସ୍‍ ପରିଦର୍ଶନ ସମୟରେ କିସରେ ପାଠ ପଢୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଦେଖି  ୱେଲସ୍‍ ହକି ଟିମ୍‍ର ସମସ୍ତ ଖେଳାଳି ଓ ଅଫିସିଆଲ୍‍ ଅଭିଭୂତ ହୋଇପଡ଼ିଥିଲେ । କିସରେ  ଏତେ ସଂଖ୍ୟକ ଜନଜାତି ପିଲାଙ୍କୁ ମାଗଣାରେ ରହିବା, ଖାଇବା ଓ ସ୍ୱାସ୍ଥ୍ୟସେବା ସହ ବିନା ଦେୟରେ ପ୍ରାଥମିକସ୍ତରରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଉଚ୍ଚତର ଶିକ୍ଷା ପ୍ରଦାନ କରାଯାଉଥିବା ଜାଣି ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ବିଶେଷକରି ୱେଲ୍‍ସ ହକି ଟିମ୍‍ କିଟ୍‍ ଓ କିସ୍‍ରେ ଥିବା ବ୍ୟାପକ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦେଖି ଆନନ୍ଦ ପ୍ରକାଶ କରିବା ସହ କ୍ରୀଡ଼ା ଓ କ୍ରୀଡାବିତ୍‍ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠାତା ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ । ପରେ କିଟ୍‍ ବିଶ୍ୱବିଦ୍ୟାଳୟ ହକି ଷ୍ଟାଡିଅମରେ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଦୁଇ ଦୁଇଥର ବିଶ୍ୱକପ୍‍ ହକି ଆୟୋଜିତ ହୋଇପାରିଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ପ୍ରୋତ୍ସାହନ ରହିଆସିଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ସମେତ ଭୁବନେଶ୍ୱରର ୫୦ଟି ବିଭିନ୍ନ ସ୍କୁଲ୍‍ର ୧୭ଶହ ଛାତ୍ରଛାତ୍ରୀ ଉପସ୍ଥିତ ରହି ୱେଲ୍‍ସ ଟିମ୍‍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ୱେଲ୍‍ସ ହକି ଟିମ୍‍ର ଖେଳାଳିମାନେ ସ୍କୁଲ୍‍ ଛାତ୍ରଛାତ୍ରୀମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନ ନିକ୍‍ ଲୋ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର, କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.