ମିଶନ ଶକ୍ତି ମା’ମାନଙ୍କ ସଶକ୍ତି କରଣରେ ଭାଗୀଦାର ହେବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

32

ଭୁବନେଶ୍ବର: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ମିଶନ ଶକ୍ତିର ମା ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ। ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ 10 ଲକ୍ଷ ଲେଖା ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ଆହ୍ବାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ ଫେଡେରେସନ ମାନଙ୍କ ପାଇଁ ଏକ କୋଟି ଏବଂ ବ୍ଲକ୍ସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହାସହିତ ମା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ମିଶନ ଶକ୍ତି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମେକ୍‌-ଇନ୍‌-ଓଡିଶା କାର୍ଯ୍ୟକ୍ରମରେ ଏହା ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ପାଇଛି ଏବଂ ମା ମାନଙ୍କୁ 1001କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି Multi Purpose Mobile Van-cum-ATMକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ସୁଦୃଢ କରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଭାଗ ନେଇ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ଯେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ରଖି ମା’ ମାନେ ନିଜର ଉପସ୍ଥିତି ଓ ମର୍ଯ୍ୟଦା ଜାହିର କରିବେ । ଏ କ୍ଷେତ୍ରରେ ଆଜି ଆମେ ଅନେକ ପରିମାଣରେ ସଫଳ ହୋଇଛୁ ବୋଲି ସେ କହିଥିଲେ । ସେ କହିଥିଲେ ଯେ ଦିନ ଥିଲା ମା ମାନେ ବ୍ୟାଙ୍କ କଣ ଜାଣି ନ ଥିଲେ। ବ୍ୟାଙ୍କକୁ ଯିବାକୁ ଡରୁ ଥିଲେ। କାରଣ ଏହା ଥିଲା ପୁରୁଷ ମାନଙ୍କ କ୍ଷେତ୍ର। ଆଜି ବ୍ୟାଙ୍କ ମାନେ ଗାଁ ଗାଁ, ଘର ଘର ବୁଲି ମା’ମାନଙ୍କୁ ଋଣ ଦେଉଛନ୍ତି। ଏହା ହେଉଛି ରୂପାନ୍ତର ବୋଲି ସେ କହିଥିଲେ। ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସ୍ବୟଂ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କର ମାନଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା କରନ୍ତି । ସେହିପରି ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିବାରେ ଓଡିଶା ପ୍ରଥମ ରାଜ୍ୟ। ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମା ମାନଙ୍କୁ ୫ ବର୍ଷରେ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜେନେରାଲ ମ୍ୟାନେଜର ବସନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.