ଭୁବେନଶ୍ବର: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୭୫ତମ ବିଶ୍ୱପ୍ରସିଦ୍ଧ ଧୁନଯାତ୍ରା । କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର । ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଦେବବାଣୀରେ କମ୍ପୁଛି ମଥୁରାପୁରୀ । ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିଛନ୍ତି । ସିଂହାସନ ଆରୋହଣ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିଛନ୍ତି କ୍ରୂର କଂସ । ହୃଷିକେଶ ଭୋଇ ପୁଣି ଥରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ବିକଟାଳ ହସ ସାଙ୍ଗକୁ ଅଭିନୟକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି । ଶ୍ରୀକୃଷ୍ଣ ଭୂମିକାରେ ଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ରଙ୍କ ଅଭିନୟ ଦେଖିବାକୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମୁଛି ବରଗଡ଼ ସହର । ଚଳିତବର୍ଷ ଧନୁଯାତ୍ରାର ୭୫ତମ ବର୍ଷ ପୂର୍ତ୍ତିରେ ହୀରକ ଜୟନ୍ତୀ ପାଳନ ହେଉଛି । ଜୀରା ନଦୀ କୁଳରେ ଧନୁଯାତ୍ରାର ଆୟୋଜନ କରାଯାଇଛି । ସେଠାରେ ପଲ୍ଲିଶ୍ରୀ ମେଳା, ହସ୍ତଶିଳ୍ପ ପ୍ରଦର୍ଶନୀ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଲେଜର ଶୋ’ ବ୍ୟବସ୍ଥା ମଧ୍ୟ ହୋଇଛି ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, ୬ ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷେ ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଦେଉଥିବା ସମ୍ମତି ଧନୁଯାତ୍ରାର ମହନୀୟତାକୁ ପ୍ରମାଣିତ କରେ । ବରଗଡ଼ ଧନୁଯାତ୍ରାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି ମଥୁରାର ଅଧିବାସୀମାନେ ନିଜକୁ କଂସ ରାଜାଙ୍କ ପ୍ରଜା ଭାବି ଅନ୍ୟାୟର ପ୍ରତିବିମ୍ବ କଂସାସୁରଙ୍କ ଅତ୍ୟାଚାର, ଅପରାଧ ବିରୋଧରେ ଆଦୌ ପାଟି ନ ଖୋଲି ସମ୍ମାନ ଦେବା । ବିପକ୍ଷରେ କୃଷ୍ଣପ୍ରେମରେ ଉବୁଟୁବୁ ଗୋପପୁରବାସୀ ନିଜକୁ ଗୋପାଙ୍ଗନା ବା ଗୋପାଳ ଭାବେ ଚିତ୍ରଣ କରି ନନ୍ଦରାଜାଙ୍କ ସେବାରେ ଉତ୍ସର୍ଗୀକୃତ ଥିବା ଦୃଶ୍ୟ ଦ୍ୱାପରଯୁଗର ଚିତ୍ର ଉପସ୍ଥାପନ କରେ
Next Post
Comments are closed, but trackbacks and pingbacks are open.