ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ,ଜିଲ୍ଲାପାଳମାନଙ୍କୁ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପତ୍ର

25

ରାଜ୍ୟରେ ଖରିଫ ୨୦୨୨-୨୩ ବର୍ଷରେ ଚାଷୀମାନଙ୍କଠାରୁ ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପତ୍ର ଲେଖିଛନ୍ତି ।

ଆଜି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାଣ୍ଡିଆ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ସ୍ୱୟଂକ୍ରିୟ ଏମ୍‌-ପାସ୍‌ ମାଧ୍ୟମରେ ପ୍ୟାକ୍ସ, ଲ୍ୟାମ୍ପସ୍‌ ଏବଂ କୃଷକ ଉତ୍ପାଦନ ସଂଗଠନଗୁଡ଼ିକ ଜରିଆରେ ମାଣ୍ଡିଆ ସଂଗ୍ରହ କରିବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

କିଛି ନ୍ୟସ୍ତସ୍ୱାର୍ଥ୍ୟ ଗୋଷ୍ଠୀଙ୍କ ଦ୍ୱାରା ପଡ଼ୋଶୀ ରାଜ୍ୟର ରାଗି/ମାଣ୍ଡିଆ କମ୍‌ ମୂଲ୍ୟରେ କିଣି ଖରିଫ୍‌ ୨୦୨୨-୨୩ ବର୍ଷ ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଜାରି ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉଥିବା ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ କରିବା ପାଇଁ ଏବଂ ବହୁସ୍ତରୀୟ ସ୍ୱୟଂକ୍ରିୟ ଯାଞ୍ଚ ବ୍ୟବସ୍ଥା ଏମ୍‌-ପାସ୍‌ ଲାଗୁ କରାଯାଇଛି ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ସହାୟତାରେ ଯାଞ୍ଚ ପ୍ରକି୍ରୟାକୁ ତ୍ୱରାନ୍ୱିତ କରି ଆନ୍ତଃରାଜ୍ୟ ମାଲ ପରିବହନ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ରରେ କୁହାଯାଇଛି ।

ଓଡ଼ିଶା ମିଲେଟ୍‌ ମିଶନର ଅଧୀନସ୍ଥ ସୁବିଧା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଅଧିକରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ପଂଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୦ରୁ ୧୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ ମଣ୍ଡିକୁ ବିକି୍ର ପାଇଁ ଆଣୁଥିବା ବଡ଼ ଓ ରେଜିଷ୍ଟ୍ରିଭୁକ୍ତ ଚାଷୀଙ୍କର ଯାଞ୍ଚ ପାଇଁ କୁହାଯାଇଛି । ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟାକୁ ନିୟମିତ ତଦାରଖ କରିବା ସହିତ ତାହାର ରିପୋର୍ଟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ପ୍ରେରଣ କରିବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I

Comments are closed, but trackbacks and pingbacks are open.