ମହାସମାରୋହରେ ବିଜେଡି ପାଳିଲା ପ୍ରତିଷ୍ଠା ଦିବସ: ମା’ମାନେ ଚାହିଁଲେ ବିଜେଡି ଶହେ ବର୍ଷ ରହିବ – ନବୀନ ପଟ୍ଟନାୟକ

21

ଭୁବନେଶ୍ୱର: ୧୨ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ । କ୍ରୀଡାବିତ୍‌, ଚାକିରିଆ, କଳାକାର, ଚାଷୀ କିମ୍ବା ଯେକୌଣସି କ୍ଷେତ୍ରର ବ୍ୟକ୍ତି ବିଶେଷ ସେମାନେ ବିଜେଡି ରେ ସାମିଲ ହୁଅନ୍ତୁ । ବିଶେଷକରି ନୂଆ ଓଡିଶାର ସ୍ୱପ୍ନ ଦେଖିଥିବା ଯୁବପିଢିଙ୍କୁ ଆହ୍ୱାନ ଦେଇ ନବୀନ ଦଳକୁ ଆମନ୍ତ୍ରଣ କରିଛନ୍ତି । ତତ୍ ସହିତ କହିଛନ୍ତି ଯେ, ଓଡିଶାର ମା’ମାନେ ଚାହିଁଲେ ଓ ଆଶୀର୍ବାଦ କଲେ ବିଜେଡି ଶହେ ବର୍ଷ ରାଜ୍ୟର ସେବା କରିବାର ସୁଯୋଗ ଲାଭ କରିବ । ଅନ୍ୟପକ୍ଷରେ ୨୦ବର୍ଷ ତଳେ ଓଡିଶା କେଉଁଠି ଥିଲା,ଏବେ କେଉଁଠି ଅଛି ତାହା ସାରା ବିଶ୍ୱ ଜାଣିଛି । ୨୦୦୦ମସିହା ପରେ ଓଡିଶାର ନାନାବିଧ ଉନ୍ନତି ହୋଇଛି । ଏହାରି ମଧ୍ୟରେ ଦଳ ସବୁସମସ୍ୟାକୁ ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, କୋଭିଡ୍ ବେଳେ ଟେଷ୍ଟିଂରୁ ଟ୍ରିଟମେଣ୍ଟ, ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ, ବିଜୁ ସ୍ୱାସ୍ଥ୍ୟ ବୀମା କ୍ରାନ୍ତିକାରୀ ସ୍କିମ୍ ଲାଗୁ ଆଦି କ୍ଷେତ୍ରରେ ବିଜେଡିକୁ ସାରା ବିଶ୍ୱରେ ପ୍ରଶଂସା ମିଳୁଛି । ମୋ ସରକାର, ନାଗରିକ ମତାମତ ଜରିଆରେ ଲୋକଙ୍କ ପାଖକୁ ସରକାରଙ୍କ ନୀତିକୁ ପହଞ୍ଚାଉଛି ବିଜେଡି ପରିବାରର ସଦସ୍ୟ । ତୃଣମୂଳ ସ୍ତରରେ ଲୋକଙ୍କୁ ବିଭିନ୍ନ ଯୋଜନା ପହଞ୍ଚାଇ ବିଜେଡି ବିଶ୍ୱାସର ପାତ୍ର ହୋଇପାରିଛି । ବିଜେଡି ଦଳ ସାମାଜିକ ଆନ୍ଦୋଳନ ଜାରି ରଖିଛି । ଓଡିଶାର ଆଶା ବିଶ୍ୱାସକୁ ଆଗେଇ ନେବାର ଆନ୍ଦୋଳନ । ଏହି ଆନ୍ଦୋଳନକୁ ଆଗେଇବା ନେବାରେ ସହା ୟକ ହେବେ ପ୍ରତ୍ୟେକ ରାଜ୍ୟବାସୀ । ବିଶେଷ ଭାବେ ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି । ଯେବେଠୁ ମା’ମାନେ ଆଶୀର୍ବାଦ ଦେଇ ଆସିଛନ୍ତି ସେବେଠୁ ଦଳ ଉନ୍ନତି କରିଛି । ତେଣୁ ମା’ମାନଙ୍କ ଉନ୍ନତି ହେଲେ ଓଡିଶାକୁ ଆଗକୁ ନେଇ ପାରିବ ବୋଲି ମୋର ବିଶ୍ୱାସ । ସେଥିପାଇଁ ମିଶନଶକ୍ତି ଗଣଦୌଡ଼ରେ ସାମିଲ ହୋଇପାରିଛି । ମା’ସଶକ୍ତ ହେଲେ ପରିବାର ସଶକ୍ତ ହେବ ।

ସେହିଭଳି ମା’ମାନେ ସଶକ୍ତ ହେଲେ ରାଜ୍ୟ ଓ ଦେଶ ସଶକ୍ତ ହେବ । ସେହିପରି ଓଡ଼ିଶାର ଭାଷାର ଉନ୍ନତି, ଗୌରବ ଓ ସଂସ୍କୃତି ଲାଗି ଦଳ କାର୍ଯ୍ୟ କରି ଆସିଛି । ବିଜୁବାବୁଙ୍କ ରକ୍ତ ବୁନ୍ଦାରେ ଓଡ଼ିଶାର ଉନ୍ନତି ଭରି ରହିଥିଲା । ସେ ମହାଜନନାୟକ । ସେ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ମୁଁ କାମ କରୁଛି, ଆଗକୁ ମଧ୍ୟ କରିବି । ମାଲକାନଗିରିରୁ ମୟୂରଭଞ୍ଜ ଓ ବରଗଡରୁ ପୁରୀ ପର୍ଯ୍ୟନ୍ତ ସବୁ ଲୋକଙ୍କ ଉନ୍ନତି ଲାଗି ବିଜେଡି କାର୍ଯ୍ୟ କରିଆସୁଛି । ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଏ ସୁଯୋଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ରଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ ପୁଞ୍ଜି । ଅନ୍ୟପଟେ ଶଙ୍ଖ ସବୁବେଳେ ଓଡ଼ିଆ ନାଦ କରିଚାଲିବ ବୋଲି କହିଥିଲେ ନବୀନ । ସୋମବାର ପୁରୀର ତାଳବଣିଆ ପଡିଆରେ ବିଜେଡି ଦଳ ପକ୍ଷରୁ ପାଳିତ ହେଉଥିବା ୨୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଦଳର ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କର ହଜାରହଜାରକାର୍ଯ୍ୟ କର୍ତ୍ତା ଓ ନେତାମାନଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ଆୟୋଜିତ କାର୍ଯ୍ୟକ୍ରମରେ ଦଳର ସମସ୍ତ ବରିଷ୍ଠ ନେତାମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟଙ୍କ ସମେତ ବିଭିନ୍ନ ନେତୁମଣ୍ଡଳୀର ନେତୁତ୍ୱ ନେଉଥିବା ସଦସ୍ୟଙ୍କୁ ଦଳର କାର୍ଯ୍ୟ ପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେରାଜ୍ୟର ମନ୍ତ୍ରୀ,ସାଂସଦ,ବିଧାୟକଙ୍କ ସମେତ ଅନ୍ୟ ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।


ପବିତ୍ର ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ବିଜେଡି ପାଳିଛି ୨୫ତମ ପ୍ରତିଷ୍ଠା ଦିବସ । ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଆଜି ବିଜେଡିକୁ ୨୫ ବର୍ଷ ପୂରିଛି । ରୌପ୍ୟ ଜୟନ୍ତୀ ପାଳନ କରିଛି ଦଳ । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ବିଜେଡିର ସବୁ ହେଭେିୱଟ ନେତା, ସାଂସଦ, ବିଧାୟକ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହୋଇଥିଲେ ଏହି ସମାବେଶରେ । ବିଜେଡି ପାଇଁ ଥିଲା ଆଜି ଏକ ଐତିହାସିକ ମୁହୂର୍ତ୍ତ । ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଜେଡି ପାଳନ କରିଛି ରୋପ୍ୟ ଜୟନ୍ତୀ ଉତ୍ସବ । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମକର୍ତ୍ତା ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ । ପୁରୀ ଠାରେ ଆୟୋଜିତ ଏହି ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ସମସ୍ତ ଦଳୀୟ କର୍ମକର୍ତା ମାନଙ୍କୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଥିଲେ ଯେ, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ । ଓଡ଼ିଶାରେ ମା ମାନଙ୍କୁ ମିଶନଶକ୍ତି ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶାର ମା ମାନେ ଚାହିଁଲେ ବିଜେଡି ୨୫ କି ୫୦ ବର୍ଷ ନୁହେଁ ୧୦୦ ବର୍ଷ ଯାଏ ରହିବ । ଏଥିସହ ଆମ ସ୍ୱପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ । ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ୱ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶାର ଉନ୍ନତି ସହ ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛି । ଓଡ଼ିଶାବାସୀ ଦୀର୍ଘ ୨୫ ବର୍ଷ ହେବ ଆମକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏ ସୁଯୋଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି । ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ ତେଣିକି ସେମାନେ ଯେକୌଣସି ବୃତ୍ତିରେ ଥାଆନ୍ତୁ ।

ଏଥିସହ ରାଜ୍ୟର ସ୍ୱାର୍ଥ, ସ୍ୱାଭିମାନ, ସଂସ୍କୃତି ସହ ବିଜୁ ବାବୁଙ୍କ ଆଦର୍ଶ ଓ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଦିବା ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ତାଳବଣିଆ ହେଲିପ୍ୟାଡ଼ ରେ ଅବତାରଣା କରିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା । ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି ଓ ମୁନା ଖାଁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ୱାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପୁରୀ ତାଳବଣିଆ ଠାରେ ଆୟୋଜିତ ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ତାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀ ମାନେ ପ୍ରମୁଖ ଯୋଗ ଦେଇଥିଲେ । ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଂଗଠନ, ମନ୍ତ୍ରୀ, ନେତା ଓ ୫୦ହଜାର ରୁ ଅଧିକ ଦଳୀୟ କର୍ମୀ ମାନେ ଏହି ମହାସମାରୋହରେ ଏକତ୍ରିତ ହୋଇଥିଲେ । ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ମୁତୟନ ହୋଇଥିଲେ ।

Comments are closed, but trackbacks and pingbacks are open.