ନୂଆ ରୂପ ନେବ କାକଟପୁର ମଙ୍ଗଳା ପୀଠ

29

ଭୁବନେଶ୍ୱର: ନୂଆ ରୂପ ନେବ କାକଟପୁରର ମା’ ମଙ୍ଗଳାଙ୍କ ପୀଠ । ମନ୍ଦିର ରକ୍ଷଣାବେକ୍ଷଣ ସହ ମନ୍ଦିର ଜଳନିଷ୍କାସନ, ପାର୍କିଂ, ଯାତ୍ରୀଙ୍କ ସୁବିଧା, ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଏପ୍ରିଲ୍ ୨୦୨୩ ସୁଦ୍ଧା କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଏବଂ ଜୁନ୍ ୨୦୨୩ ସୁଦ୍ଧା ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଟିଚିଙ୍ଗ୍ ହସ୍ପିଟାଲ କାର୍ଯ୍ୟ ଶେଷ ହେବ । ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଥିଲେ । ଏହି ଅବସରରେ ମା’ ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଜଗନ୍ନାଥ ସଂସ୍କୃତିରେ ମା’ ମଙ୍ଗଳାଙ୍କ ପୀଠର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ୱାସ ରହିଛି । ଏତଦ୍‌ବ୍ୟତୀତ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ଭାବରେ ମା’ ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ ୫-ଟି ଉପକ୍ରମରେ ଏଇ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ମଙ୍ଗଳା ପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ, ମନ୍ଦିର ସଂରକ୍ଷଣ ସାଙ୍ଗକୁ ମନ୍ଦିର ଜଳନିଷ୍କାସନ, ପାର୍କିଂ, ଯାତ୍ରୀଙ୍କ ସୁବିଧା, ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଧାର୍ଯ୍ୟ ସମୟ ଭିତରେ କାମ ଶେଷ ହେବ । ଏଥି ନିମନ୍ତେ ସେବାୟତ, ସ୍ଥାନୀୟ ଲୋକ ଓ ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରି ବିସ୍ତୃତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ । ଓବିସିସି ଏହି ଯୋଜନା ପ୍ରସ୍ତୁତ କରୁଛି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ । ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଟିଚିଙ୍ଗ୍ ହସ୍ପିପିଟାଲ ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତିର ସମୀକ୍ଷା କରିଥିଲେ । ଏହାର କାମ ୨୦୨୩ ଜୁନ ସୁଦ୍ଧା କାମ ଶେଷ ହେବ । ପରେ କୋଣାର୍କ ଯାଇ ୫-ଟି ସଚିବ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ୍ କାମ ଅନୁଧ୍ୟାନ କରିଥିଲେ । କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ୫-ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.