କରୋନା ପାଇଁ ନୂଆବର୍ଷରେ ଆସିବ ଗାଇଡଲାଇନ

38

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଡର । କିଛି ଦିନର ନିରବତା ପରେ କରୋନା ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି ।  କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ  ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି ।  ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ତେଣୁ ଗହଳି ହେବାର ପ୍ରବଳ ସମ୍ଭାବନା ରହିଛି । ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ନୂଆ ଗାଇଡଲାଇନ ଆସିବ । କୋଭିଡ ସ୍ଥିତି ସମୀକ୍ଷା କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ଜାରି କରିବ ।  ଆଜି ଭିସି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଏଥିପାଇଁ ସତର୍କ ହେଲାଣି ଦେଶ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏବେ ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି କଣ ଅଛି, ତାହା ବୁଝିବେ । ଏହା ସହ କରୋନା ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହେବ । ଅପରାହ୍ନ ୩ଟାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଠକ ଅନୁଷ୍ଠିତ ହେବ । ଗତକାଲି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ବୈଠକ କରିଥିଲେ । ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ।  ଅନ୍ୟପଟେ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ମଧ୍ୟ ଅଣାଯାଇଛି ।

Comments are closed, but trackbacks and pingbacks are open.