ଅରୁଣାଚଳ ସୀମାରେ ସାମରିକ ଶକ୍ତି ବଢ଼ାଉଛି ଚୀନ୍‌, ଉପଗ୍ରହ ଚିତ୍ରରୁ ମିଳିଛି ସ୍ପଷ୍ଟ ପ୍ରମାଣ

24

ନୂଆଦିଲ୍ଲୀ : ବିଗତ ଅଢେଇ ବର୍ଷ ମଧ୍ୟରେ ଲଦାଖ ଓ ତାୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଯୋଗୁଁ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ୨୦୨୦ ଜୁନ୍‌ରେ ଲଦାଖର ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା । ଏହାର ଅଢେଇ ବର୍ଷ ପରେ ଅର୍ଥାତ୍ ଚଳିତମାସ ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ୍ ସେକ୍ଟରରେ ପୁଣି ଦୁଇପକ୍ଷ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅବଶ୍ୟ ଏଥର କେହି ପ୍ରାଣ ହରାଇନଥିବାବେଳେ ଉଭୟପକ୍ଷର ଏକାଧିକ ସୈନ୍ୟ ଆହତ ହୋଇଛନ୍ତି । ତାୱାଙ୍ଗ୍ ଘଟଣାପରେ ଭାରତୀୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ଉକ୍ତ ସେକ୍ଟରରେ ପାଟ୍ରୋଲିଂ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ଏହାସତ୍ତ୍ୱେ ଅରୁଣାଚଳ ସୀମାରେ ଚୀନ୍ ନିଜର ସାମରିକ ଭିତ୍ତିଭୂମି ବୃଦ୍ଧି କରୁଥିବା ଜଣାପଡିଛି । ମାକ୍ସାର ସଂସ୍ଥା ପକ୍ଷରୁ ଉପଲବ୍ଧ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଜଣାପଡିଛି ଯେ ଅରୁଣାଚଳର ଅପରପାଶ୍ୱର୍ରେ ଥିବା ତିଽତୀୟ ଅଞ୍ଚଳରେ ଚୀନ୍‌ର ଏକାଧିକ ବାୟୁସେନା ଘାଟି ରହିଥିବାବେଳେ ସେଠାରେ ଅଧିକ ସଂଖ୍ୟାରେ ଲଢୁଆ ବିମାନ ଓ ଡ୍ରୋନ୍ ମୁତୟନ କରାଯାଉଛି । ଗତ ସପ୍ତାହରେ ଚୀନ୍‌ର ଡ୍ରୋନ୍‌ଗୁଡିକ ଭାରତୀୟ ଆକାଶସୀମା ଉଲ୍ଲଂଘନ କରିଥିବାବେଳେ ସେଗୁଡିକୁ ଘଉଡାଇବାକୁ ଭାରତୀୟ ବାୟୁସେନାର ଲଢୁଆ ଜେଟ୍‌ଗୁଡିକୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଅରୁଣାଚଳ ସୀମାର ମାତ୍ର ୧୫୦ କିମି ଦୂରରେ ଚୀନ୍‌ର ବାଙ୍ଗ୍‌ଡା ବାୟୁସେନା ଘାଟି ଅବସ୍ଥିତ । ଏହି ଘାଟିରେ ଚୀନ୍ ପକ୍ଷରୁ ଅତ୍ୟାଧୁନିକ ଡବ୍ଲ୍ୟୁଜେଡ୍‌-୭ ‘ସୋରିଙ୍ଗ୍ ଡ୍ରାଗନ୍‌’ ଡ୍ରୋନ୍ ମୁତୟନ କରାଯାଇଥିବା ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି । ଶତ୍ରୁପକ୍ଷ ଇଲାକାରେ ଗୁଇନ୍ଦା ଓ ସର୍ବେକ୍ଷଣ କାର୍ଯ୍ୟ ସମ୍ପାଦନ କରିବାକୁ ଏହି ଡ୍ରୋନ୍ ୧୦ ଘଣ୍ଟା ନନ୍‌ଷ୍ଟପ୍ ଉଡିପାରିବ । ଡ୍ରୋନ୍‌ରୁ ପ୍ରାପ୍ତ ସୂଚନାକୁ ଆଧାର କରି ଚୀନ୍‌ର କ୍ରୁଜ୍ କ୍ଷେପଣାସ୍ତ୍ର ଅନାୟାସରେ ଭାରତୀୟ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର ଦକ୍ଷତା ରଖୁଛି । ଅକ୍‌ସାଇ ଚୀନ୍‌ଠାରୁ ଆରମ୍ଭ କରି ଅରୁଣାଚଳ ପର୍ଯ୍ୟନ୍ତ ଦୀର୍ଘ ୩୪୮୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ସୀମା (ମ୍ୟାକ୍‌ମୋହନ ଲାଇନ୍‌)ରେ ଚୀନ୍ ସମସ୍ତ ପ୍ରକାର ଯୁଦ୍ଧ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେଇସାରିଥିବା କୁହାଯାଇଛି । ଅପରପକ୍ଷରେ ସୀମା ସଂଲଗ୍ନ ଶିଗାତ୍‌ସି ବାୟୁସେନା ଘାଟିରେ ଚୀନ୍ ୧୦ଟି ଫ୍ଲାଙ୍କର ଶ୍ରେଣୀ ଜେଟ୍ ଏବଂ ଏକାଧିକ ଆୱାକ୍‌ସ ବିମାନ ମୁତୟନ କରିସାରିଛି । ସୂଚନାଯୋଗ୍ୟ ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ରୁଷ ନିର୍ମିତ ସୁଖୋଇ-୩୦ ଏମ୍‌କେଆଇ ବିମାନକୁ ରିଡିଜାଇନ କରି ଚୀନ୍ ଫ୍ଲାଙ୍କର ଜେଟ୍ ନିର୍ମାଣ କରିଛି । ୨୦୧୭ ଡୋକ୍‌ଲାମ ବିବାଦ ପରଠାରୁ ସୀମାରେ ଚୀନ୍‌ର ସାମରିକ ଭିତ୍ତିଭୂମି ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି ବିଶିଷ୍ଟ ପ୍ରତିରକ୍ଷା ବିଶେଷଜ୍ଞ ସିମ୍ ଟାକ୍ ମତବ୍ୟକ୍ତ କରିଛନ୍ତି । ଅରୁଣାଚଳରେ ଭାରତୀୟ ବାୟୁସେନାର ଗତିବିଧି ଉପରେ ନଜର ରଖିବାକୁ ଚୀନ୍ ବାଙ୍ଗ୍‌ଡା ଘାଟିରେ ସମସ୍ତ ବ୍ୟବସ୍ଥା କରିସାରିଛି । ଯଦି ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗେ, ତାହାହେଲେ ଭାରତୀୟ ଲଢୁଆ ବିମାନଗୁଡିକର ଆକ୍ରମଣକୁ ପ୍ରତିହତ କରିବାରେ ଚୀନ୍‌କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡିବ ନାହିଁ ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.