କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଘଟଣା ୧୬୮% କମିଛି

15

ନୂଆଦିଲ୍ଲୀ: ୨୦୧୪ରେ ମୋଦୀ ସରକାର କେନ୍ଦ୍ରରେ କ୍ଷମତା ଅକ୍ତିଆର କରିବାପରଠାରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଘଟଣା ୧୬୮ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏଥିସହିତ ୨୦୧୫ ପରଠାରୁ ଦେଶରେ ଉଗ୍ରବାଦ ଘଟଣା ୨୬୫ ପ୍ରତିଶତ କମିଥିବା ମଧ୍ୟ ସେ କହିଛନ୍ତି । କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଆସୁଛନ୍ତି । ଏହି ପ୍ରସଙ୍ଗରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଉଥିବାରୁ ଆଶାନୁରୂପ ଫଳ ମଧ୍ୟ ମିଳୁଥିବା ସେ କହିଛନ୍ତି । ଉରି ଆକ୍ରମଣ ପ୍ରତିଶୋଧ ସ୍ୱରୂପ ୨୦୧୬ରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ପୁଲୱାମା ଆକ୍ରମଣ ପରିପ୍ରେକ୍ଷୀରେ ୨୦୧୯ରେ କରାଯାଇଥିବା ବାଲାକୋଟ୍ ଏୟାର ଷ୍ଟାଇକ୍ ଏହାର ଜ୍ୱଳନ୍ତ ପ୍ରମାଣ ବୋଲି ଶ୍ରୀ ଠାକୁର ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ୨୦୧୪ ପରଠାରୁ ଆତଙ୍କବାଦ ଜନିତ ହିଂସାକାଣ୍ଡ ୮୦ ପ୍ରତିଶତ ଏବଂ ବେସାମରିକ ଲୋକଙ୍କ ମୃତ୍ୟୁ ମଧ୍ୟ ୮୯ ପ୍ରତିଶତ ହ୍ରାସ ପାଇଥିବାବେଳେ ୬ ହଜାରରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ସେ ସୂଚନା ଦେଇଛନ୍ତି । ମୋଦୀ ସରକାରଙ୍କ ଅମଳରେ ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୯୪ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ପୁନଶ୍ଚ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଉଗ୍ରବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ ସେହି ଅଞ୍ଚଳରେ ଶାନ୍ତି ଫେରିଆସିଛି । ତ୍ରିପୁରା ଓ ମେଘାଳୟରୁ ସମ୍ପୂର୍ଣ୍ଣଭାବେ ଏବଂ ଆସାମର ୬୦ ପ୍ରତିଶତ ଅଞ୍ଚଳରୁ ଆଫ୍‌ସା (ଆର୍ମଡ୍ ଫୋର୍ସେସ୍ ସ୍ପେଶାଲ ପାୱାର ଆକ୍ଟ)କୁ ପ୍ରତ୍ୟାହାର କରାଯାଇଛି । ପୁନଶ୍ଚ ମୋଦୀ ସରକାରଙ୍କ ଅମଳରେ ଉତ୍ତର-ପୂର୍ବରେ ବୋଡୋ ଶାନ୍ତି ଚୁକ୍ତି (୨୦୨୦), କର୍ବି ଆଙ୍ଗ୍‌ଲଙ୍ଗ୍ ଚୁକ୍ତି (୨୦୨୧), ଆସାମ-ମେଘାଳୟ ସୀମା ଚୁକ୍ତି ଇତ୍ୟାଦି ସମ୍ପାଦିତ ହୋଇସାରିଥିବା ଶ୍ରୀ ଠାକୁର କହିଛନ୍ତି ।

Comments are closed, but trackbacks and pingbacks are open.