ଇଡି ରିମାଣ୍ଡ ଅବଧି ସିଲା, ଜେଲ୍ ଗଲେ ଅର୍ଚ୍ଚନା

22

ଭୁବନେଶ୍ୱର: ହନିଟ୍ରାପ୍ ମାମଲାର ନାୟିକା ଅର୍ଚ୍ଚନା ନାଗଙ୍କ ଦ୍ୱିତୀୟ ପର୍ଯ୍ୟାୟ ୬ ଦିନିଆ ଇଡି ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ତେଣୁ ଅର୍ଚ୍ଚନାଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ତେବେ ଅଧିକ ପଚରାଉଚରା ପାଇଁ ଇଡି ଆଜି ପୁଣି ତାଙ୍କୁ ତୃତୀୟ ଥର ରିମାଣ୍ଡରେ ନେବାକୁ ଚାହୁଁଥିଲା । ଏନେଇ ଇଡି ପକ୍ଷରୁ ଏଡିଜେ-୩ କୋର୍ଟରେ ଆଉ ୨ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । ହେଲେ କୋର୍ଟ ଇଡିର ଆବେଦନକୁ ଖାରଜ କରିଦେଇଛନ୍ତି । ରିମାଣ୍ଡ ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ପୂର୍ବରୁ କ୍ୟାମରା ଦେଖି ମୁଖର ହେଉଥିବା ଅର୍ଚ୍ଚନା ଆଜି ମିଡିଆ ସାମ୍ନାରେ ସେଭଳି କିିଛି ବିସ୍ଫୋରକ ବୟାନ ଦେଇ ନାହାନ୍ତି । ଇଡି ରିମାଣ୍ଡରେ ଗଲା ପରେ ସେ ଏକଦମ ନୀରବି ଯାଇଛନ୍ତି । ଓଲଟା କ୍ୟାମେରା ଦେଖି କରଛଡ଼ା ଦେଉଛନ୍ତି । ଯିଏ ରିମାଣ୍ଡ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟ ଦୋହଲାଇ ଦେବାକୁ ଧମକ ଦେଉଥିଲେ, ସିଏ ପାଟି ଖୋଲିଲେନି । କ୍ୟାପିଟାଳ ହସ୍ପିଟାଲରୁ ଇଡି କାର୍ଯ୍ୟାଳୟକୁ ଯିବାରେ ରାସ୍ତାରେ ଏଭଳି କ’ଣ ହେଲା ଯେ ଅର୍ଚ୍ଚନା ସମ୍ପୂର୍ଣ୍ଣ ବଦଳିଗଲେ । ଇଡିକୁ ଭୂଆଁ ବୁଲାଇ ଦେଲେ । କିଛି ବି କହିଲେନି । ଅନ୍ୟପକ୍ଷରେ ଇଡି ଆଗରେ ଅର୍ଚ୍ଚନା କ୍ରାଇମ୍ ସିଣ୍ଡିକେଟର ସହଯୋଗୀ ଶ୍ରଦ୍ଧାଞ୍ଜଳି କିଛି ବଡ଼ବଡ଼ିଆଙ୍କ ନା ନେଇଥିଲେ ମଧ୍ୟ ଅର୍ଚ୍ଚନାଙ୍କ ଠାରୁ ସେଭଳି ସନ୍ତୋଷ ଜନକ ଉତ୍ତର ମିଳିପାରି ନାହିଁ । ଜେରା ବେଳେ ଅର୍ଚ୍ଚନା ଲୁଚାଇଦେଲେ ନାଗ ପେଡ଼ିର ଗୁମର । କିଛି କହିଲେନି, ଯାହା କହିଲେ ସେ କଥାରେ କିଛି ତାଳମେଳ ରହିଲାନି ।
ସେପଟେ ଡିଜିଟାଲ ତଥ୍ୟ ହସ୍ତାନ୍ତରକୁ ନେଇ ଇଡି ଏବଂ ରାଜ୍ୟ ଫରେନ୍‌ସିକ୍ ଲାବ୍ ମଧ୍ୟରେ ଲାଗିରଖିବା ବିବାଦ କାହାକୁ ଅଛପା ନାହିଁ । ଇଡି ଡିଜିଟାଲ ତଥ୍ୟ ପାଇଁ ରାଜ୍ୟ ଫରେନସିକ୍ ବିଭାଗକୁ ଅନୁରୋଧ କରିଥିଲା । ତଥ୍ୟ ହାସଲ ପାଇଁ ରାଜ୍ୟ ଫରେନ୍‌ସିକ୍ ବିଭାଗକୁ ଅଧିକାରୀ ପଠାଇଥିଲା । କିନ୍ତୁ କର୍ମଚାରୀ ଅଭାବରୁ ଡିଜିଟାଲ ତଥ୍ୟ ମିଳିନାହିଁ ବୋଲି ଫରେନସିକ୍ ବିଭାଗ କହିଦେଇ ଇଡି ଅଧିକାରୀଙ୍କୁ ଫେରାଇ ଦେଇଥିଲା । ତେବେ ଡିଜିଟାଲ ତଥ୍ୟ ନମିଳିବାରୁ ଅର୍ଚ୍ଚନାକୁ ଠିକ୍ ଭାବେ ପଚରାଉଚରା ହୋଇପାରୁ ନାହିଁ ବୋଲି ଇଡି ପକ୍ଷରୁ ଅର୍ଚ୍ଚନା ରିମାଣ୍ଡ ଆବେଦନ ଶୁଣାଣି ବେଳେ କୋର୍ଟଙ୍କୁ କୁହାଯାଇଥିଲା । ତେଣୁ ତାଙ୍କୁ ଅଧିକ ଦିନ ରିମାଣ୍ଡ ନେବାକୁ ଇଡି ଚାହୁଁଥିଲା ବୋଲି କୋର୍ଟକୁ ଜଣାଇଥିଲା । ଏନେଇ ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ୍ ସିଂ କହିଛନ୍ତି ଇଡି ଯେଉଁ ସବୁ ଗ୍ରାଉଣ୍ଡରେ ରିମାଣ୍ଡ ମାଗୁଛି ତାହା ବେଶ୍‌ଲେସ୍ । ଇଡିର ଏହା ଏକ ପ୍ରହସନ । ଅନ୍ୟପକ୍ଷରେ ଅର୍ଚ୍ଚନା ମାମଲା ତଦନ୍ତ ଧୀରେ ଧୀରେ ସନ୍ଦେହ ଘେରକୁ ଯିବାରେ ଲାଗିଛି । ଏହି ମାମଲାରେ ଆଉ ବିଶେଷ କିିଛି ହେବ ନାହିଁ । ଏବେ କେବଳ ଚଷୁ କୁଟିବା କାମ ଚାଲିଛି ବୋଲି କିଛି ଲୋକ କହୁଛନ୍ତି । ଅର୍ଚ୍ଚନା ଜାଲ୍‌ରେ ଥିବା ନେତା, ଅଭିନେତା, ବିଲ୍‌ଡର ଓ ବ୍ୟବସାୟୀମାନେ ଯେଉଁ ଜାଲ ବିଛାଇଛନ୍ତି ସେଥିରେ ଇଡି ଅର୍ଚ୍ଚନାଙ୍କ ମୁହଁରୁ ଠିକ୍ କଥା ବାହାର କରିପାରୁ ନାହିଁ । ତେଣୁ ଅର୍ଚ୍ଚନା ନାଗ୍ ପେଡ଼ିର ଗୁମର ଖୋଲିବା ନେଇ ଆଶା ବହୁତ କ୍ଷୀଣ ବୋଲି ବରିଷ୍ଠ ଆଇନଜୀବୀମାନେ କହୁଛନ୍ତି । ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ୯ ଦିନିଆ ରିମାଣ୍ଡରେ ଅଛନ୍ତି । ତାଙ୍କୁ ଇଡି ଜେରା କରୁଛି । ଯଦି କ୍ରାଇମ ସିଣ୍ଡିକେଟର କିଙ୍ଗ୍‌ପିନ୍ ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇ ଇଡି କଥା ଆଦାୟ କରିପାରିଲା ନାହିଁ, ତେବେ ଜଗବନ୍ଧୁଙ୍କ ଠାରୁ କି ତଥ୍ୟ ହାସଲ କରିବ, ସେନେଇ ପ୍ରଶ୍ନ ଉଠିଛି ।

Comments are closed, but trackbacks and pingbacks are open.