ଟିକସ ବୋଝ ସମ୍ଭାଳି ପାରୁନି ମଦ ଇଣ୍ଡଷ୍ଟ୍ରି

24

କୋଲକାତା: ଦେଶରେ ପ୍ରଚଳିତ ଅତ୍ୟଧିକ ଟିକସ ବ୍ୟବସ୍ଥା ଯୋଗୁଁ ବେଭେରେଜ୍ (ମଦ) ପ୍ରସ୍ତୁୁତକାରୀ କମ୍ପାନୀଗୁଡିକ ଅତିଷ୍ଠ ହୋଇପଡିଲେଣି । ଯଦି ଆଗକୁ ଟିକସ ବ୍ୟବସ୍ଥାକୁ କୋହଳ କରାନଯାଏ, ତେବେ ଏହି ବୋଝ ସମ୍ଭାଳିବା କଷ୍ଟକର ହୋଇପଡିବ ବୋଲି ‘ଇଣ୍ଟରନ୍ୟାସନାଲ ସ୍ପିରିଟ୍ ଆଣ୍ଡ୍ ୱାଇନ୍ ଆସୋସିଏସନ ଅଫ୍ ଇଣ୍ଡିଆ’ ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ମଦ ବୋତଲ ବିକ୍ରି ମୂଲ୍ୟର ୬୭ରୁ ୮୦ ପ୍ରତିଶତ ଅର୍ଥ ଟିକସ ବାବଦରେ ପୈଠ କରାଯାଉଥିବାରୁ ଲାଭାଂଶ ମାତ୍ରା ଅତ୍ୟନ୍ତ କ୍ଷୀଣ ହେଉଥିବା ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏପଟେ ଉଚ୍ଚ ମୁଦ୍ରାସ୍ପୀତି ଏବଂ ଅନ୍ୟପଟରେ ଅତ୍ୟଧିକ ଟିକସ ବୋଝ ଯୋଗୁଁ ମଦ ଇଣ୍ଡଷ୍ଟ୍ରି ଅଣନିଃଶ୍ୱାସୀ ହୋଇପଡିଥିବା କୁହାଯାଇଛି । ମଦ ଇଣ୍ଡଷ୍ଟ୍ରିକୁ ତିଷ୍ଠିବାକୁ ହେଲେ ଟିକସ ହାର ହ୍ରାସ କରିବା ଜରୁରୀ ହୋଇପଡିଛି । ଦେଶର ଅନ୍ୟ ଇଣ୍ଡଷ୍ଟ୍ରି ଭଳି ମଦ ଇଣ୍ଡଷ୍ଟ୍ରି ନିକଟରେ ନିଜ ବ୍ରାଣ୍ଡ୍‌ର ମୂଲ୍ୟ ଧାର୍ଯ୍ୟ କରିବା କ୍ଷମତା ନାହିଁ । ରାଜ୍ୟ ସରକାରଙ୍କୁ ଏହି ଇଣ୍ଡଷ୍ଟ୍ରି ୨୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରାଜସ୍ୱ ଯୋଗାଉଥିବା ସତ୍ତ୍ୱେ ସରକାର ମଦ ଉପରେ ଟିକସ ହାର ଅଧିକ ରଖିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆସୋସିଏସନ ସିଇଓ ନୀତା କପୁର କହିଛନ୍ତି । ପଶ୍ଚିମବଙ୍ଗ ସରକାର ୨୦୨୦ ଏପ୍ରିଲରୁ ମଦ ଉପରେ ୩୦ ପ୍ରତିଶତ ଅଧିକ ଟିକସ ଲାଗୁ କରିଥିବାରୁ ସେଠାରେ ସ୍ଥିତି ଦୟନୀୟ ହୋଇପଡିଥିବା କୁହାଯାଇଛି ।

Comments are closed, but trackbacks and pingbacks are open.