ଜିଏସ୍‌ଟି କାଉନ୍‌ସିଲ ବୈଠକ ଆରମ୍ଭ: ନୂଆ ଟିକସକୁ ମନା

36

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାରଠାରୁ ଭର୍ଚୁଆଲ ପ୍ଲାଟଫର୍ମରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କାଉନ୍‌ସିଲ୍‌ର ୪୮ତମ ବୈଠକ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ । ତେବେ ସମୟ ଅଭାବରୁ ପ୍ରଥମ ଦିନରେ ଏଜେଣ୍ଡାରେ ସ୍ଥାନ ପାଇଁ ୧୫ଟି ପ୍ରସଙ୍ଗ ମଧ୍ୟରୁ କେବଳ ୮ଟି ପ୍ରସଙ୍ଗରେ ଆଲୋଚନା ସମ୍ଭବ ହୋଇପାରିଥିବା ନିର୍ମଳା କହିଛନ୍ତି । ଆଜିର ଜିଏସ୍‌ଟି କାଉନ୍‌ସିଲ୍ ବୈଠକରେ କୌଣସି ନୂତନ ଟିକସ ଧାର୍ଯ୍ୟ କରାଯାଇନାହିଁ । ଅର୍ଥାତ୍ କୌଣସି ନୂତନ ସାମଗ୍ରୀ କିମ୍ବା ସେବା ଉପରେ ଜିଏସ୍‌ଟି ଲାଗୁ ହେବାର ପ୍ରଶ୍ନ ଉଠୁନାହିଁ । ଜିଏସ୍‌ଟି ଠକେଇ ବାବଦ ଅପରାଧ ଅର୍ଥ ସୀମା ୧ କୋଟିରୁ ୨ କୋଟିକୁ ବୃଦ୍ଧି କରାଯାଇଛି । ଅର୍ଥାତ ଜାଲ୍ ଇନ୍‌ଭଏସ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ୨ କୋଟି ଟଙ୍କାରୁ ଅଧିକ ଅର୍ଥ ଟିକସ ଫାଙ୍କିଥିଲେ, ଏହାକୁ ଜିଏସ୍‌ଟି ଠକେଇଭାବେ ବିବେଚନା କରାଯାଇ ସଂପୃକ୍ତ ବ୍ୟକ୍ତି କିମ୍ବା କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଏହା ୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଗୋଖାଦ୍ୟ ପାଇଁ ବ୍ୟବହୃତ ଚୋକଡରେ ପୂର୍ବରୁ ୫ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଉଥିବାବେଳେ ଏହାକୁ ପ୍ରତ୍ୟାହାର କରାଯାଇଛି । ପେଟ୍ରୋଲ ବିଶୋଧନ ପାଇଁ ବ୍ୟବହୃତ ଇଥାଇଲ ଆଲକୋହଲ ଉପରୁ ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଅପରପକ୍ଷରେ ଜିଏସ୍‌ଟି ଆପେଲେଟ୍ ଟ୍ରିବ୍ୟୁନାଲ ସ୍ଥାପନ, ପାନମସଲା ଓ ଗୁଟ୍‌ଖା ଉପରେ ଜିଏସ୍‌ଟି ଫାଙ୍କିବା ଉଦ୍ୟମକୁ କିପରି ନିୟନ୍ତ୍ରଣ କରାଯିବ, ଅନ୍‌ଲାଇନ୍ ଗେମିଂ ଏବଂ କ୍ୟାସିନୋ ଉପରେ ଜିଏସ୍‌ଟି ଲାଗୁ ଭଳି ପ୍ରସଙ୍ଗକୁ ନେଇ କୌଣସି ଆଲୋଚନା ହୋଇପାରିନଥିବା ଶ୍ରୀ ମାଲହୋତ୍ରା ଜଣାଇଛନ୍ତି । ଅପରପକ୍ଷରେ ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟୀ ଭେହିକିଲ) ପ୍ରସଙ୍ଗରେ ଦେଶବ୍ୟାପୀ ଏକକ ନିୟମ ପ୍ରଚଳନ ଉପରେ ବୈଠକରେ ମତପ୍ରକାଶ ପାଇଛି । ଫଳରେ ଏସ୍‌ୟୁଭି ଉପରେ ଜିଏସ୍‌ଟି ପରିମାଣ ଅଧିକ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ୪୦୦ ସେଣ୍ଟିମିଟରରୁ ଅଧିକ ଲମ୍ବା, ୧୭୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ଥିବା ୧୫୦୦ ସିସି ଇଞ୍ଜିନ ବିଶିଷ୍ଟ କାର୍ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଏବଂ ୨୨ ପ୍ରତିଶତ ସେସ୍ ଲାଗୁ କରାଯାଉଛି । ଫଳରେ ମୋଟ ଟିକସ ପରିମାଣ ୫୦ ପ୍ରତିଶତ ହେଉଛି । ତେବେ କେଉଁ କାର୍‌କୁ ଏସ୍‌ୟୁଭି କ୍ୟାଟେଗୋରୀରେ ସାମିଲ କରାଯିବ, ତାହାର ସଜ୍ଞା ନିରୁପଣକୁ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଏହା ଅଟୋମୋବାଇଲ କମ୍ପାନୀଗୁଡିକୁ ଦ୍ୱନ୍ଦ୍ୱରେ ପକାଉଛି । ତେଣୁ ଏସ୍‌ୟୁଭିର ସଜ୍ଞା ନିରୁପଣ କରିବାକୁ ସମାନ ମାନଦଣ୍ଡ ବ୍ୟବହାର କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି । ଯେଉଁ କାର୍ ଏହି ମାନଦଣ୍ଡ ପରିସୀମା ମଧ୍ୟରେ ଆସୁନଥିବ, ସେଭଳି କାର୍ ପାଇଁ ଅଳ୍ପ ପରିମାଣର ସେସ୍ ଲାଗୁ କରାଯିବ ବୋଲି ବୈଠକରେ ଯୋଗଦେଇଥିବା ସେଣ୍ଟ୍ରାଲ ବୋର୍ଡ ଫର୍ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ୍ କଷ୍ଟମ୍‌ସ ଅଧ୍ୟକ୍ଷ ବିବେକ ଜୋହରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍ ସାଙ୍ଗମାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟି ଗତ ସପ୍ତାହରେ ଜିଏସ୍‌ଟି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟକୁ ସୁପାରିସ ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟକୁ ଆଧାର କରି ବୈଠକରେ ଆଲୋଚନା ହୋଇଛି ବୋଲି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.