ସବ୍‌ସିଡି ନାଁରେ ୧୨ କୋଟି ଠକେଇ: ଆଗ୍ରୋ ସଂସ୍ଥାର ଏମ୍‌ଡି ସମେତ ୨ ଗିରଫ

34

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଣ ନାଁରେ ୧୨କୋଟି ଟଙ୍କାର ସରକାରୀ ସବ୍‌ସିଡି ଟଙ୍କା ହଡ଼ପ୍ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟ) ଯୋଗାଣକାରୀ ସଂସ୍ଥାର ଏମ୍‌ଡି ସମେତ ୨ ଜଣଙ୍କୁ ଶୁକ୍ରବାର ଗିରଫ କରିଛି । ଗିରଫମାନେ ହେଲେ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର(ଏମଡି) ପ୍ରଦୀପ କୁମାର ଆଚାର୍ଯ୍ୟ, ଦାଶ ଟ୍ରେଡର୍ସ ଆଣ୍ଡ ଆଗ୍ରୋ ଏଜେନ୍ସିର ପ୍ରୋପାଇଟର ପ୍ରଭା ରଞ୍ଜନ ଦାଶ ଓ ସେଖ୍ ଫାୟଜ । ଭୁବନେଶ୍ୱର, ଦଶପଲ୍ଲା ଓ ବ୍ରହ୍ମପୁରରୁ ସେମାନଙ୍କୁ ଗିରଫ କରାଯିବା ପରେ ଶନିବାର ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସ୍କିମ୍‌ରେ ଚାଷୀଙ୍କ ଟଙ୍କା ହଡ଼ପ୍ ଅଭିଯାଗରେ ଆଗ୍ରୋ ସଂସ୍ଥାର ଏମ୍‌ଡିଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ ।
ଇଓଡବ୍ଲ୍ୟୁ ଡିଏସ୍‌ପି ଏ.କେ.ମିଶ୍ରଙ୍କ ଅଭିଯୋଗକ୍ରମେ କେସ୍ ନଂ-୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହିପରି ସମାନ ଅଭିଯୋଗରେ କେସ୍ ନଂ-୭ର ତଦନ୍ତ କରି ଶ୍ରୀ ମିଶ୍ର ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତମାନେ ଚାଷୀମାନଙ୍କୁ କୃଷି ଯନ୍ତ୍ରାଂଶର ସରକାରୀ ସବସିଡି ଦେବା ଆଳରେ ପ୍ରାୟ ୧୨ କୋଟି ଟଙ୍କା ଠକେଇ କରିଛନ୍ତି । ବାଲେଶ୍ୱରରେ ଥିବା ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲର ଏମ୍‌ଡି ହେଉଛନ୍ତି ପ୍ରଦୀପ । ଉକ୍ତ ଫାର୍ମଟି ଡାଇରେଟ୍ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ସ୍କିମ୍‌ରେ ପଞ୍ଜିକୃତ ହୋଇଥିଲା । କମ୍ପାନୀ ପୋଷ୍ଟ ଅମଳ ମେସିନ୍‌, ପାୱାର ଚାଳିତ ଯନ୍ତ୍ରପାତି ଏବଂ ରୋଟାଭେଟର ଆଦି ଯନ୍ତ୍ରାଂଶ ନିର୍ମାଣ ଏବଂ ଡିଲରସିପ୍ କରୁଥିଲା । କମ୍ପାନୀ ସାରା ଓଡ଼ିଶାରେ ୧୧୫ ଡିଲର ନିଯୁକ୍ତି କରିଥିଲା । ୨୦୧୬-୧୭ ରୁ ୨୦୧୯-୨୦ ମଧ୍ୟରେ ଅଭିଯୁକ୍ତମାନେ ନକଲି ଇନ୍‌ଭଏସ୍‌, ଡାଟା, ସୂଚନା ଏବଂ ୟୁଟିଆରରେ ୩୮୧ ଟି ଆଗ୍ରୋ ସାମଗ୍ରୀ ଚାଷୀମାନଙ୍କୁ ଯୋଗାଇଥିବା ଦର୍ଶାଇ କୋଟି କୋଟି ଟଙ୍କା ସବସିଡି ହଡପ୍ କରିଥିଲେ । ଡିବିଟି ଯୋଜନା ମାଧ୍ୟମରେ ସରକାରୀ ଟଙ୍କା ହଡପ୍ କରିଥିବା ନେଇ ଅଭିଯୋଗ ଆସିବାପରେ ଇଓଡବ୍ଲ୍ୟୁ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତଦନ୍ତ ଜାରି ରହିଥିବା ନେଇ ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ ବିବୃତିି ମାଧ୍ୟମରେ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.