ବିଭିନ୍ନ ସମସ୍ୟା ନେଇ ଶକ୍ତିମନ୍ତ୍ରୀଙ୍କୁ ଭେଟିଲେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ

25

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଲୋକସେବା ଭବନସ୍ଥିତ ଦପ୍ତରରେ ବିଭିନ୍ନ ସମସ୍ୟା ନେଇ ବିଦୁ୍ୟତ ଶ୍ରମିକ କର୍ମଚାରୀ ଏକତା ମଞ୍ଚର କର୍ମକର୍ତ୍ତାମାନେ ଆଲୋଚନା କରିଛନ୍ତି।
ପୂର୍ବରୁ ଅଣତାଲିମପ୍ରାପ୍ତ କର୍ମଚାରୀମାନେ ବୈଷୟିକ ପଦବୀରେ ନିଯୁକ୍ତ ହେଉଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ଥାନରେ ଆଇଟିଆଇ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ନିଯୁକ୍ତ କରାଗଲା । ତେବେ ଏମାନଙ୍କୁ ବୈଷୟିକ କର୍ମଚାରୀ ଭାବେ ୨୮୦୦ ଟଙ୍କା ଗ୍ରେଡ୍‌ ପେ ଦିଆଯାଉଥିବାବେଳେ ପୂର୍ବ କର୍ମଚାରୀମାନଙ୍କୁ ୨୪୦୦ ଟଙ୍କା ଗ୍ରେପ୍‌ ପେ ଦିଆଯାଉଛି । ଏହି କର୍ମଚାରୀମାନଙ୍କ ଟ.୨୪୦୦/- ଗ୍ରେଡ୍‌ ପେକୁ ଟ. ୨୮୦୦/-କୁ ବୃଦ୍ଧି କରିବା ଏବଂ ଟ. ୩୩୦୦/- ଗ୍ରେଡ୍‌ ପେକୁ ଉଚ୍ଛେଦ କରି ସେହି ସ୍ଥାନରେ ଗ୍ରେଡ୍‌ ପେ ୪୨ ଶହ ଟଙ୍କା ରଖିବା ପାଇଁ ମଞ୍ଚ ତରଫରୁ ମନ୍ତ୍ରୀ ଶ୍ରୀ ଦେବଙ୍କୁ ଅନୁରୋଧ କରାଯାଇଥିଲା । ଷଷ୍ଠ ବେତନ କମିଶନ ବେଳୁ ରହିଆସିଥିବା ଏହି ବେତନ ଅସଙ୍ଗତି ନେଇ ଦୀର୍ଘଦିନ ଧରି କର୍ମଚାରୀ ମହଲରେ ଅସନ୍ତୋଷ ରହିଆସିଥିବା ଏକତା ମଞ୍ଚ ତରଫରୁ ପ୍ରକାଶ କରାଯାଇଥିଲା । ଏଥି ସହିତ ବିଦୁ୍ୟତ ବିଭାଗରେ ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତ ଥିବା ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ବାବଦକୁ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ମଞ୍ଚର କର୍ମକର୍ତ୍ତାମାନେ ଦାବି ରଖିଥିଲେ।
ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ଦେବ ଏସବୁ ଦାବିର ସମାଧାନ ଶ୍ରମ ବିଭାଗ ପରିସରଭୁକ୍ତ ହୋଇଥିବା ହେତୁ ଏ ସଂକ୍ରାନ୍ତରେ ଶକ୍ତି ବିଭାଗ ତରଫରୁ ଏକ ସୁପାରିଶ ପତ୍ର ଓଡ଼ିଶା ଶକ୍ତି ସଂଚାରଣ ନିଗମ (ଓପିଟିସିଏଲ୍‌) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଜରିଆରେ ପ୍ରେରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାବେଳେ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଜେନେରାଲ ସେକ୍ରେଟାରୀ ପ୍ରତୀୟ କୁମାର ନାୟକ, ଅକ୍ଷୟ କୁମାର ତ୍ରିପାଠୀ, ବି.ବି. ମହାନ୍ତି, ଆତ୍ମୟ କୁମାର ପାଟ୍ଟଯୋଶୀ, ବିରେନ୍ଦ୍ର କୁମାର ରାୟ, ବସନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.