‘ପୁରୁଷ ହକି ବିଶ୍ୱକପ୍‌’ର ପୂର୍ବ ପ୍ରସ୍ତୁତି: ଆରମ୍ଭ ହେଲା ସ୍କୁଲସ୍ତରରେ ହକି ପ୍ରତିଯୋଗିତା

27

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଅବ୍ୟବହିତ ପୂର୍ବରୁ ହକିର ଲୋକପ୍ରିୟତାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ୍‌ସ୍ତରରେ ହକିର ପ୍ରଚାର ପ୍ରସାର ପାଇଁ ହକି ଥିମ୍‌ରେ ସ୍ୱତନ୍ତ୍ର କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମରେ ହକିକୁ ପ୍ରାଥମିକତା ଦିଆଯିବା ସହ ପିଲାମାନଙ୍କ ମଧ୍ୟରେ ହକିକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀ ନିର୍ବିଶେଷରେ ସମସ୍ତେ ଆଗ୍ରହର ସହ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ତେବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତ୍ୟନ୍ତ ଗୋଟିଏ ଲେଖାଏଁ ସ୍କୁଲରେ ମୋ ସ୍କୁଲ ହକି କ୍ଲବ ଗଠନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ୍‌ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହକି ସହ ଫୁଟ୍‌ବଲ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ସ୍କୁଲ୍‌ସ୍ତରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଭାବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଓଡ଼ିଶାବାସୀଙ୍କ ଭାବାବେଗ ସହ ହକି ଜଡ଼ିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରତି ଜିଲ୍ଲାର ଅତିକମ୍‌ରେ ଗୋଟିଏ ସ୍କୁଲ୍‌ରେ ‘ମୋ ସ୍କୁଲ୍ ହକି କ୍ଲବ୍‌’ ଗଠନ କରାଯାଇଛି । ଏହି କ୍ଲବ୍ ଆଗାମୀ ଦିନରେ ରାଜ୍ୟ ଏବଂ ଦେଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Comments are closed, but trackbacks and pingbacks are open.