ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା: କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର

36

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇ ଭିତର ବେଢାର ଦୃଶ୍ୟ ଭାଇରାଲ କରିବା ଘଟଣାରେ ଭୁଲ୍‌ ମାଗିଛନ୍ତି ବଙ୍ଗୀୟ ୟୁଟ୍ୟୁବର୍‌ I ସେ ହାତ ଯୋଡ଼ି ମହାପ୍ରଭୁଙ୍କ ସହିତ ସାଢେ ୪ କୋଟି ଓଡ଼ିଆଙ୍କୁ କ୍ଷମା ମାଗିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନୋ ଫ୍ଲାଇଙ୍ଗ ଜୋନ୍‌ ଥିବା ସେ ଜାଣିନଥିବା ଭିଡିଓ ବାର୍ତ୍ତାରେ ଦର୍ଶାଇଛନ୍ତି । ଏପଟେ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ଦୃଶ୍ୟକୁ ୟୁଟ୍ୟୁବରେ ଉପଲୋଡ଼ କରାଯିବା ଘଟଣାରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ।

ସୂଚନା ଅନୁଯାୟୀ, ୟୁନିଫାଏଡ ଅନିମେଶ ନାମରେ ୟୁଟ୍ୟୁବ ରେ ୫ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଥିଲା । ଯେଉଁ ଭିଡିଓରେ ଶ୍ରୀ ମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଂ ଦେଖାଯାଉଛି । ଶ୍ରୀ ମନ୍ଦିର ନୀଳାଚକ୍ରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ତେବେ ଏହି ଘଟଣାରେ ପୁଲିସଠାରୁ ଅନୁମତି ନେଇ ଡ୍ରୋନ୍‌ରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରିଥିବା ପୂର୍ବରୁ ଅନିମେଶ କହିଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ଥିଲା, ସେ ପୁଲିସ୍‌ର ଅନୁମତି ନେଇ ନଥିଲେ।

ଅନିମେଶ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍ କଲା ବେଳେ ତାହା ନୋ ଫ୍ଲାଇଂ ଜୋନ୍ ବୋଲି ଆଦୌ ଜାଣିନଥିଲି। ଡ୍ରୋନରେ ସେଭଳି କିଛି ଓ୍ୱାର୍ଣ୍ଣିଂ ଦେଖାଇ ନଥିଲା। ତେଣୁ ଅଜାଣତରେ ଏଭଳି ଭୁଲ ହୋଇଥିବା କହିଛନ୍ତି ଅନିମେଶ।

ଅନ୍ୟପକ୍ଷରେ ଅନିମେଶ ଡ୍ରୋନ୍‌ରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରିବା ଘଟଣାରେ ସିଂହଦ୍ୱାର ଥାନା ଏତଲା ଦିଆଯାଇଛି। ଭଏସ୍ ଅଫ କମନ୍ ମ୍ୟାନ୍ ସଂଗଠନ ପକ୍ଷରୁ ଏହି ଏତଲା ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗ୍ରଠନ ଦାବି କରିଛି। ଶ୍ରୀମନ୍ଦିର ଭିଡିଓ ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.