ଶିକ୍ଷକ ଆନ୍ଦୋଳନ ତାତି : ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

23

ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନକୁ ନେଇ ବିଧାନସଭା ପୁଣି ଅଚଳ ହୋଇଥିଲା । ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଉଭୟ ବିରୋଧୀ ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ସହ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଧାରଣା ଦେଇଥିଲେ ସିପିଏମ୍ ସଭ୍ୟ ଲକ୍ଷ୍ମଣ ମୁଣ୍ଡା । ଗୃହରେ ପ୍ରଥମାର୍ଦ୍ଧ ବୈଠକ ଠାରୁ ଦ୍ୱିତୀୟାର୍ଦ୍ଧ ବୈଠକ ଅଧିକ ସର୍‌ଗରମ ଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକି ସମାଧାନ ପାଇଁ ଚେଷ୍ଟା କରିବା ସତ୍ତ୍ୱେ ଫେଲ୍ ମାରିଥିଲେ । ଫଳରେ ତାତି କାରଣରୁ ଗୃହକୁ ବାଚସ୍ପତି ବାରମ୍ବାର ମୁଲତବୀ କରିଥିଲେ ।
ବୁଧବାର ପ୍ରଶ୍ନକାଳ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇଥିଲା । ଶାସକ ବିଧାୟକ ଅମର ପ୍ରସାଦ ଶତପଥୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କ ଦୁଇ ଶିକ୍ଷକ ପଦବୀ ଖାଲି ସମ୍ପର୍କିତ ଦୁଇଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଭାସ୍କର ମଢ଼େଇ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଓ ଶାସକ ସଭ୍ୟ ନୃସିଂହ ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ । ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଥିଲେ । ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୪,୬୯୭ ଲେବେଲ୍ ୩ ବରିଷ୍ଠ ହେଡ଼ ମାଷ୍ଟର, ୪,୫୪୫ ଲେବେଲ ହେଡ଼ ମାଷ୍ଟର, ୬,୭୭୭ ଲେବେଲ ୪ ଗ୍ରାଜୁଏଟ୍ କଳା ଶିକ୍ଷକ , ୧୫,୮୬୫ ଶିକ୍ଷକ ଲେବେଲ ୫ ବିଜ୍ଞାନ, ୬,୪୪୮ ଲେବେଲ୍ ୫ ଶିକ୍ଷକ ପଦବୀ ଖାଲି ପଡିଛି । ଏହା ପଦୋନ୍ନତି ମାଧ୍ୟମରେ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୧୭୮ ଶିକ୍ଷକ ପଦବୀ ଖାଲି ପଡିଛି । ୨୦୧୯ରୁ ୨୦୨୩ ଭିତରେ ଦୁଇଟି ପର୍ଯ୍ୟାୟରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଏଥିରୁ ୧୪,୪୦୪ ଜଣଙ୍କୁ ନିଯୁକ୍ତି ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨,୨୪୪ ମାଧ୍ୟମିକ ଶିକ୍ଷକ ପଦବୀ ପୂରଣ କରାଯିବ । ୭,୫୪୦ ଶିକ୍ଷକ ନିଯୁକ୍ତି ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ଅନେକ ସ୍କୁଲରେ ଅତିଥି ଶିକ୍ଷକ ପାଠ ପଢ଼ାଉଛନ୍ତି । ରାଜ୍ୟରେ ୧୯୨୨ ଧନ୍ଦାମୂଳକ ଶିକ୍ଷକ ଓ ୬୪ ସଂଯୋଜକ କାର୍ଯ୍ୟରତ ଅଛନ୍ତି । ୧୦୪୮ ନୂତନ ଶିକ୍ଷକ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏଥିରେ ବିରୋଧୀ ସଭ୍ୟ ପ୍ରବଳ ଅସନ୍ତାଷ ବ୍ୟକ୍ତକରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ପରେ ଶୂନ୍ୟକାଳରେ ଗୃହରେ ପ୍ରଶ୍ନ କଲେ କିଛି ଲାଭ ନାହିଁ ବୋଲି ପ୍ରକାଶ କରିଥିଲେ । ସେ କହିଥିଲେ ଗୃହରେ ସଠିକ୍ ଉତ୍ତର ମିଳନାହିଁ । ମନ୍ତ୍ରୀ ଗୃହରେ ରହୁୂନାହାନ୍ତି । ଗୃହ ଚାଲିଲେ ବି କିଛି ଲାଭ ନାହିଁ । ମୁଖ୍ୟମନ୍ତ୍ରୀ ଦେହ ଖରାପ କହି ବିଧାନସଭା ନ ଆସି ବାହାରେ ରହୁଛନ୍ତି । ଏମିତି ହେଲେ ଶିକ୍ଷକଙ୍କ ସମସ୍ୟା କଣ କିଛିର ସମାଧାନ ହେବ ନାହିଁ । ବାଚସ୍ପତି ଗତକାଲି ରୁଲିଂ ଦେବା ସତ୍ତ୍ୱେ ସରକାର କାହିଁକି ପଦକ୍ଷେପ ନେଲେନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଅନୁରୂପ ଭାବେ ସରକାରଙ୍କୁ ତୀବ୍ର ସମାଲୋଚନା କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ୩ ଜଣ ମନ୍ତ୍ରୀ ଗୃହରେ ଉପସ୍ଥିତ, ୩ଜଣ ବାହାରେ ଅଛନ୍ତି । ବାକି ୧୫ ମନ୍ତ୍ରୀ ଓ ୫୦ରୁ ଅଧିକ ବିଧାୟକ ପଦ୍ମପୁର ଉପନିର୍ବାଚନ ପାଇଁ ଡେରା ପକାଇଛନ୍ତି । ତେଣୁ ସେଠାରୋ ଗୃହ ଚାଲି ଲାଭ କଣ ବୋଲି ସେ ପ୍ରଶ୍ନ ଉତ୍ଥାପନ କରି ଶିକ୍ଷକଙ୍କ ସମସ୍ୟା ତୁରନ୍ତ ସମାଧାନ ହେଉ ବୋଲି ଦାବି ଦୋହରାଇଥିଲେ । ଶାସକ ସଭ୍ୟ ଅମର ଶତପଥୀ କହିଥିଲେ, ବିରୋଧୀ ଯାହା ଅଭିଯୋଗ କରୁଛନ୍ତି ସେସବୁ ଠିକ୍ ନୁହେଁ । ସରକାର ଶିକ୍ଷକଙ୍କୁ ସମସ୍ୟା ତୁରନ୍ତ ସମାଧାନ ନେଇ ଯତ୍ନଶୀଳ ବୋଲି ସେ ପ୍ରକାଶ କରିଥିଲେ । ଏହି ସମୟରେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଧାରଣା ଦେଇଥିଲେ ସିପିଏମ୍ ସଭ୍ୟ ଲକ୍ଷ୍ମଣ ମୁଣ୍ଡା । ଅନ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ମଝିକୁ ଆସି ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଦେଇଥିଲେ । ଫଳରେ ଗୃହକୁ ମୂଲତବୀ କରିଥିଲେ ବାଚସ୍ପତି । ତେଣୁ ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇପାରି ନଥିଲା । ଅପରାହ୍ନ ଅଧିବେଶନରେ ବି ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହ ଭିତରେ ଓ ବାହରେ କହିଥିଲେ, ଦୀର୍ଘ ଦିନ ହେଲା ପ୍ରାଥମିକ ଶିକ୍ଷକ, ଅଙ୍ଗନବାଡ଼ି, ସ୍କୁଲ ରୋଷେୟାମାନେ ଆନ୍ଦୋଳନରତ । ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟାଳୟ ବନ୍ଦ ହୋଇଗଲାଣି । ଏହା ପବିତ୍ର ଗୃହ ବାହାରେ ଶିକ୍ଷକମାନେ ଶୋଇଛନ୍ତି । ଏହା ଆମ ପାଇଁ ଅପମାନ କଥା । ତେଣୁ ବାଚସ୍ପତିଙ୍କ ରୁଲିଂ ଦେବା ଜରୁୀୀ । ବାଚସ୍ପତି ତାହାକୁ ଅଗାହ୍ୟ କରିବାରୁ ସେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ତାଙ୍କ ସହିତ ସ୍ୱର ମିଳାଇ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବିଜେପି ସଦସ୍ୟମାନେ । ସେମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି ସହ ହୋହାଲ୍ଲାକକରିଥିଲେ । ଗୃହ ସ୍ୱାଭାବିକ ନହେବାରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଗୃହ ଦୁଇ ଥର ମୁଲତବୀ କରାଯାଇଥିବାବେଳେ ସର୍ବଦଳୀୟ ବୈଠକରୁ କୌଣସି ନିର୍ଯାସ ବାହାରିନଥିଲା । ତେଣୁ ଅଶାନ୍ତ କାରଣରୁ ଗୃହକୁ ଗୁରୁବାର ସାଢ଼େ ଦଶ ଯାଏ ମୂଲତବୀ କରିଥିଲେ ବାଚସ୍ପତି

Comments are closed, but trackbacks and pingbacks are open.