୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିିଆ-ଭିସ୍ତାରା ମିଶ୍ରଣ

30

ନୂଆଦିଲ୍ଲୀ: ୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆ ସହ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ଘଟିବ ବୋଲି ଜଣାପଡିଛି । ଏଥିପାଇଁ ଟାଟା ସନ୍ସ (ଏୟାର ଇଣ୍ଡିଆର ମାଲିକାନା କମ୍ପାନୀ) ଏବଂ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ମିଳିତଭାବେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ୨୦୧୩ରେ ଟାଟା ସନ୍ସ ଓ ସିଙ୍ଗାପୁର ଏୟାରଲାଇନ୍ସ ମିଳିତଭାବେ ଭିସ୍ତାରା ପ୍ରତିଷ୍ଠା କରିଥିବାବେଳେ ୨୦୧୫ ଜାନୁଆରୀ ୯ରୁ ଏହା ବିମାନସେବା ଆରମ୍ଭ କରିଥିଲା । ଚଳିତବର୍ଷ ପ୍ରାରମ୍ଭରେ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ପୁଣି ଟାଟା ଗ୍ରୁପ୍ ହାତକୁ ଆସିଯାଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ସମ୍ମିଶ୍ରଣ ଘଟିଲେ ନୂତନ କମ୍ପାନୀ ‘ଏୟାର ଇଣ୍ଡିଆ-ଭିସ୍ତାରା-ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌-ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌’ ନାମରେ ନାମିତ ହେବ । ଏହି କମ୍ପାନୀରେ ଟାଟା ସନ୍ସର ୭୪.୯ ପ୍ରତିଶତ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଅଂଶଧନ ରହିବ ବୋଲି ଜଣାପଡିଛି । ପୂର୍ବରୁ ଭିସ୍ତାରାରେ ଏୟାର ଇଣ୍ଡିଆର ୫୧ ପ୍ରତିଶତ ଓ ସିଙ୍ଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ରହିଥିଲା । ସମ୍ମିଶ୍ରଣ ଘଟିବାପରେ ସିଙ୍ଗାପୁର ଏୟାରଲାଇନ୍ସ ନୂତନ କମ୍ପାନୀରେ ୨୫୦ ନିୟୁତ ଡଲାର ପୁଞ୍ଜି ବିନିଯୋଗ କରିବ ବୋଲି ଜଣାପଡିଛି । ଏୟାର ଇଣ୍ଡିଆର କଳେବର ବୃଦ୍ଧି ଘଟିବାପରେ ଏହାର ବିକାଶ ଓ ପରିଚାଳନା ନିମନ୍ତେ ଆଗାମୀ ଆର୍ôଥକବର୍ଷରେ (୨୦୨୩-୨୪) ଉଭୟ ଟାଟା ସନ୍ସ ଓ ସିଙ୍ଗାପୁର ଏୟାରଲାଇନ୍ସ ଅଧିକ ପୁଞ୍ଜି ବିନିଯୋଗ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଭିସ୍ତାରା ସହ ସମ୍ମିଶ୍ରଣ ପରେ ଏୟାର ଇଣ୍ଡିଆ ଏକ ବିଶ୍ୱସ୍ତରୀୟ ଏୟାରଲାଇନ୍ସଭାବେ ମାନ୍ୟତାଲାଭ କରିବ ବୋଲି ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ୍ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏୟାର ଇଣ୍ଡିଆ ଯାତ୍ରୀଙ୍କ ସୁବିଧା, ନିରାପତ୍ତା ସମେତ ବିମାନ ସଂଖ୍ୟା ବୃଦ୍ଧି , ବିମାନ ଯାତ୍ରାର ସମୟାନୁବର୍ତ୍ତିତା ଏବଂ କମ୍ପାନୀର ବିଶ୍ୱସନୀୟତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ ବୋଲି ମଧ୍ୟ ଚନ୍ଦ୍ରଶେଖରନ କହିଛନ୍ତି । ଏ ପ୍ରସଙ୍ଗରେ ସହଯୋଗ କରୁଥିବାରୁ ସେ ସିଙ୍ଗାପୁର ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ଏୟାର ଇଣ୍ଡିଆ ସହ ଭିସ୍ତାରାର ସମ୍ମିଶ୍ରଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସିଙ୍ଗାପୁର ଏୟାରଲାଇନ୍ସ ସିଇଓ ଗୋହ୍ ଚୁନ୍ ଫୋଙ୍ଗ୍ କହିଛନ୍ତି । ଟାଟା ସନ୍ସ ଭାରତର ଅନ୍ୟତମ ପ୍ରମୁଖ ଖ୍ୟାତନାମା କମ୍ପାନୀ । ୨୦୧୩ରେ ଟାଟା ସନ୍ସ ସହ ମିଳିତ ଉଦ୍ୟୋଗରେ ଭିସ୍ତାରା ଏୟାରଲାଇନ୍ସ ସ୍ଥାପନ କରିବା ପରଠାରୁ ଏହି ଏୟାରଲାଇନ୍ସ ବିମାନଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛି । ବର୍ତ୍ତମାନ ଏୟାର ଇଣ୍ଡିଆ-ଭିସ୍ତାରା ସମ୍ମିଶ୍ରଣ ଘଟୁଥିବାରୁ ଭାରତର ଆଭିଏସନ ସେକ୍ଟରକୁ ଏହା ଅଧିକ ମଜଭୁତ କରିବ ବୋଲି ମଧ୍ୟ ସେ ଆଶାପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଭିସ୍ତାରା ସିଇଓ ବିନୋଦ କାନନ କହିଛନ୍ତି ଯେ ଟାଟା ସନ୍ସ ଓ ସିଙ୍ଗାପୁର ଏୟାରଲାଇନ୍ସ ଭଳି ପ୍ୟାରେଣ୍ଟ୍ ବ୍ରାଣ୍ଡ୍ ପାଇଥିବା ଭିସ୍ତାରା ଆଗାମୀ ଦିନରେ ଏୟାର ଇଣ୍ଡିଆ ସହ ସମ୍ମିଶ୍ରଣରେ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ସେ କହିଛନ୍ତି । ଭାରତରେ ବିମାନସେବା କ୍ଷେତ୍ରରେ ଏୟାର ଇଣ୍ଡିଆ ଅତି ପରିଚିତ ନାମ । ଏହାସାଙ୍ଗକୁ ସିଙ୍ଗାପୁର ଏୟାରଲାଇନ୍ସ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏୟାରଲାଇନ୍ସଭାବେ ମାନ୍ୟତାଲାଭ କରିଛି । ତେଣୁ ଏଭଳି ଦୁଇଟି ଲବ୍ଧ ପ୍ରତିଷ୍ଠିତ ଏୟାରଲାଇନ୍ସର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ଆଗାମୀ ଦିନରେ ନୂତନ କମ୍ପାନୀକୁ ନୂତନ ଶିଖରରେ ପହଞ୍ଚାଇବେ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.