ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ
କ୍ଷମା ମାଗିଲେ ବାବା ରାମଦେବ

23

ମୁମ୍ବାଇ: କିଛିଦିନ ପୂର୍ବେ ମହାରାଷ୍ଟ୍ରର ଥାଣେ ସହରରେ ଏକ ଉତ୍ସବରେ ଯୋଗଦେଇଥିବାବେଳେ ଯୋଗଗୁରୁ ବାବା ରାମଦେବ ମହିଳାଙ୍କ ବେଶ ପୋଷାକକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ରାମଦେବ ନିଜର ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ଗତ ଶୁକ୍ରବାର ଆୟୋଜିତ ଯୋଗ ସମ୍ପର୍କିତ ଏକ ଉତ୍ସବରେ ରାମଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ପତ୍ନୀ ଅମୃତା ଫଡ୍‌ନବିସ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁତ୍ର ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ । ରାମଦେବ ତାଙ୍କ ଭାଷଣରେ କହିଥିଲେ ଯେ ମହିଳାମାନେ ଶାଢି କିମ୍ବା ସାଲୱାର କମିଜ୍ ପିନ୍ଧିଲେ ସୁନ୍ଦର ଦେଖାଯାଇଥାନ୍ତି । ତେବେ କିଛି ନ ପିନ୍ଧିଲେ, ସେମାନେ ଆହୁରି ସୁନ୍ଦର ଲାଗିଥାନ୍ତି । ଏହି ଉତ୍ସବରେ ପ୍ରଥମେ ଯୋଗାଭ୍ୟାସ କରାଯାଇଥିଲା । ଏହାପରେ ହଠାତ୍ ସଭା ଆରମ୍ଭ ହେବାରୁ ଅଧିକାଂଶ ମହିଳା ଯୋଗ ପୋଷାକ ବଦଳାଇବାକୁ ସମୟ ପାଇନଥିଲେ । ଏହାକୁ ଲକ୍ଷ୍ୟକରି ରାମଦେବ ଉପରୋକ୍ତ ଟିପ୍ପଣି ଦେଇଥିଲେ । ଜାତୀୟ ମହିଳା କମିଶନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ରାମଦେବ କହିଥିଲେ ଯେ ଭୁଲରେ ତାଙ୍କ ପାଟିରୁ ଏଭଳି କଥା ବାହାରି ଯାଇଛି । ଯଦି ଏହା ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନ ପ୍ରତି ବାଧା ପହଞ୍ଚାଇଥାଏ, ତେବେ ମୁଁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରୁଛି ବୋଲି ରାମଦେବ କହିଛନ୍ତି ।

Comments are closed, but trackbacks and pingbacks are open.