ଇଟାଭାଟି ମାଲିକଙ୍କୁ ବୀଭତ୍ସ ହତ୍ୟା

22

ଭୁବନେଶ୍ବର: ଗତବର୍ଷ କେନ୍ଦ୍ରପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଅଞ୍ଚଳର ଜନୈକା ମହିଳାଙ୍କୁ ଗଳାକାଟି ହତ୍ୟା କରିବା ସହ ତାଙ୍କର ୬ବର୍ଷର ଶିଶୁପୂତ୍ରକୁ ନିକଟସ୍ଥ ଜଙ୍ଗଲକୁ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କର ପତ୍ତା ମିଳିପାରିନଥିବା ବେଳେ ସୋମବାର ଭୋର୍ ସମୟରେ ପୁଣି ଘଟିଛି ଆଉ ଏକ ହତ୍ୟାକାଣ୍ଡ । ପ୍ରଭାକରପୁର-ଖରିନାସୀ ପୂର୍ତ୍ତରାସ୍ତାର ଖରିନାସୀ ଠାରେ ଜଣେ ଇଟାଭାଟି ମାଲିକଙ୍କୁ ଅତି ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି । ପ୍ରକାଶ ଯେ ସ୍ଥାନୀୟ ବାହାକୁଦ ଗ୍ରାମର ଦୀନେଶ ବୈଦ୍ୟଙ୍କର ମା’ ମନସା ସିମେଣ୍ଟ ଇଟା ନାମକ ଏକ ଇଟାଭାଟି ରହିଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୫ଜଣ ଶ୍ରମିକ ଓ ଭଦ୍ରକରୁ ଜଣେ କାମ କରୁଥିଲେ । ତେବେ ରବିବାର ରାତିରେ ଇଟାଗଢ଼ା କାର୍ଯ୍ୟ ଚାଲୁଥିବା ଯୋଗୁଁ ବିଳମ୍ବ ହେବାରୁ ଦୀନେଶ ଆଉ ଘରକୁ ନଫେରି ଇଟାଭାଟିରେ ରହି ଯାଇଥିଲେ । ସୋମବାର ଭୋର୍ ସମୟରେ ତାଙ୍କର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଇଟାଭାଟି ପଛପଟ ଜମିରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଟାଙ୍ଗିଆ, ଖଣ୍ଡା ଏବଂ ଭୁଜାଲି ଜବତ କରିଛି । ହତ୍ୟାକାଣ୍ଡରେ ୩ ରୁ ୪ଜଣ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି । ଘଟଣାକୁ ନେଇ ଦୀନେଶଙ୍କ ବଡ଼ଭାଇ ରମେଶ ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ୧୫୩/୨୨ ରୁଜୁକରି ଶବ ବ୍ୟବଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛିି । ଇଟାଭାଟି ଶ୍ରମିକ ଥିବା ଭଦ୍ରକ ଅଞ୍ଚଳର ପରମାନନ୍ଦ ବେହେରା ଗତ ରାତିରୁ କେଉଁଆଡ଼େ ଫେରାର ହୋଇ ଯାଇଥିବାରୁ ତାଙ୍କୁ ନେଇ ସନ୍ଦେହ ସୃଷ୍ଟିହୋଇଛି । ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । ସାମୁଦ୍ରିକ ଥାନା ଅଞ୍ଚଳରେ ବାରମ୍ବାର ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟୁଥିଲେ ମଧ୍ୟ ପୁଲିସ ତଦନ୍ତରେ ଶିଥିଳତା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.