ଘରୋଇ ସ୍କୁଲରେ ବି ରାଗିଂ ଅଭିଯୋଗ: ୮ ଜଣ ଛାତ୍ରଙ୍କ ନାଁରେ ମାମଲା ରୁଜୁ

21

ଭୁବନେଶ୍ବର: ବ୍ରହ୍ମପୁର ସହରରେ ଥିବା ସରକାରୀ ଶିକ୍ଷାନୁଷ୍ଠାନରେ ରାଗିଂ ହେଉଥିବା ବେଳେ ଏବେ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହି ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଚେଙ୍ଖ ଦେଇ ମାଡ଼ ମାରିଥିବା ଥାନାରେ ଅଭିଯୋଗ ପରେ ପୁଲିସ ୮ ଜଣ ସିନିୟର ଛାତ୍ରଙ୍କ ନାମରେ ମାମଲା ରୁଜୁ କରିଛି । ବ୍ରହ୍ମପୁର ଗୁଡସେଡରୋଡଠାରେ ଥିବା ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ଘଟଣା ଘଟିଛି । ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ସ୍କୁଲ ହଷ୍ଟେଲରେ ରହୁଥିବା ବେଳେ ଗତ କିଛି ମାସ ହେବ ସେହି ହଷ୍ଟେଲରେ ରହୁଥିବା ୯ମ, ୧୦ମ ଓ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହା ସହ ସିନିୟର ଛାତ୍ରମାନେ ଏହି ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତରେ ଚେଙ୍କ ଦେଇଥିବା ଛାତ୍ରଙ୍କ ମା’ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପୂର୍ବରୁ ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନରେ ଅଭିଯୋଗ ହେବାପରେ ଚାଇଲ୍ଡ ଲାଇନ ସଦସ୍ୟ ସ୍କୁଲକୁ ଯାଇ ତଦନ୍ତ କରିଥିଲେ । ପୁନର୍ବାର ଏଭଳି କିଛି ଘଟିବ ନାହିଁ ବୋଲି ସେତେବେଳେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କ ମା’ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ଦିନ ପୂର୍ବେ ପୁଣି ଥରେ ଯୁକ୍ତ ୨ରେ ପଢୁଥିବା ଜଣେ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିବା ନେଇ ଛାତ୍ରଙ୍କ ମା’ ହଷ୍ଟେଲ ୱାର୍ଡେନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ୱାର୍ଡେନ ସଂପୃକ୍ତ ସିନିୟର ଛାତ୍ରଙ୍କୁ ତାଗିଦ କରିଥିଲେ । ଏହା ପରେ ମଧ୍ୟ ସେହି ଦିନ ସିନିୟର ଛାତ୍ର ଓ ତାଙ୍କ ଅନ୍ୟ ୧୦ ଜଣ ସହଯୋଗୀ ପୁଣି ଥରେ ଉକ୍ତ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ର ଜଣଙ୍କ ତାଙ୍କ ମା’ଙ୍କୁ ଜଣାଇଥିଲେ । ଏହା ପରେ ତାଙ୍କ ମା’ ସମସ୍ତ ସିନିୟର ଛାତ୍ରଙ୍କୁ ଡାକି ପଚାରିବାରୁ ସେମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏ ନେଇ ତାଙ୍କ ମା’ ଆଜି ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ହଷ୍ଟେଲରେ ତାଙ୍କ ପୁଅଙ୍କ ଜୀବନପ୍ରତି ବିପଦ ଥିବା ମଧ୍ୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୨୧୬/୨୨ରେ ୮ ଜଣ ସିନିୟର ଛାତ୍ରଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.