ରାଜ୍ୟରେ ରକ୍ତହୀନତା ଦୂର କରିବ ‘ଅମ୍ଳାନ’

27

ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଅମ୍ଲାନ’ । ଏହି ଯୋଜନା ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନବାଡ଼ିରେ ଲାଗୁହେବ । ଏଥିଯୋଗୁଁ ୧.୩୭ କୋଟି ଲୋକ ଲାଭବାନ ହେବେ । ବୁଧବାର ମୁଖ୍ୟମନ୍ତ୍ରୀ ଯୋଜନା ଆରମ୍ଭ କରି କହିଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ଯୋଜନାରେ ମହିଳା, ଶିଶୁ ଓ ଗର୍ଭବତୀ ମହିଳାମାନେ ହିଁ ଉପକୃତ ହେବେ । ରକ୍ତହୀନତା ରୋଗକୁ ଦୂର କରିବା ଦିଗରେ ରାଜ୍ୟ ସରକାରଙ୍କର ଏହା ହେଉଛି ବଳିଷ୍ଠ କାର୍ଯ୍ୟକ୍ରମ । ଅମ୍ଲାନ ଯୋଜନା ମାଧ୍ୟମରେ ରାଜ୍ୟରେ ଯେପରି କେହି ଜଣେ ରକ୍ତହୀନତା ରୋଗୀ ନରହିବେ ସେଦିଗରେ ସରକାର ଉଦ୍ୟମ କରିବେ । ସେ ପୁଣି କହିଲେ ଯେ ରାଜ୍ୟ ସରକାର ସବୁବେଳେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଟିକାକରଣ, ଶିଶୁ ମୃତ୍ୟୁହାର ହ୍ରାସ, ଅପପୁଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ସଫଳତା ଲାଭ କରିଛନ୍ତି । କିନ୍ତୁ ରକ୍ତହୀନତା ଏବେ ସମଗ୍ର ଦେଶରେ ଏକ ମାରାତ୍ମକ ରୋଗ ଭାବେ ଦେଖାଦେଇଛି । ତେଣୁ ‘ଅମ୍ଳାନ’ର ସଫଳତା ପାଇଁ ସଂପୃକ୍ତ ବିଭାଗର କର୍ମଚାରୀ ଓ କ୍ଷେତ୍ରକର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଅମ୍ଳାନ’ କାର୍ଯ୍ୟକାରୀ ପାଇଁ ଏକ ନୀୟମାବଳୀ ଉନ୍ମୋଚନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ସବୁ ବିଭାଗର ସହଯୋଗରେ ‘ଅମ୍ଳାନ’ ଯୋଜନା ନିଶ୍ଚୟ ସଫଳତା ଲାଭ କରିବ । କୋଭିଡ-୧୯ ପରିଚାଳନାରୁ ଆମକୁ ବହୁ ଅଭଜ୍ଞତା ମିଳିଛି ଏବଂ ଏହାର ମୁକାବିଲା କରିବାରେ ଆମେ ସଫଳ ହୋଇଛୁ ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.