ରୋଜଗାର ମେଳା, ଆଜି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦୀ

30

ନୂଆଦିଲ୍ଲୀ: ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ବୋଲି ପିଏମଓ ସୂତ୍ରରୁ ଜଣାପଡିଛି । ଏହି ଅବସରରେ ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନବନିଯୁକ୍ତ ସରକାରୀ ଚାକିରିଆଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ବେକାରୀ ସମସ୍ୟା ଦୂର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡିଥିବା ପଦ ପୂରଣ କରାଯାଉଛି । ଏହି ପ୍ରାର୍ଥୀମାନେ ୩୮ଟି ମନ୍ତ୍ରଣାଳୟରେ ଖାଲିପଡିଥିବା ଗ୍ରୁପ୍‌-ଏ (ଗେଜେଟେଡ୍‌), ଗ୍ରୁପ୍‌-ବି (ଗେଜେଟେଡ୍‌), ଗ୍ରୁପ୍‌-ବି (ଅଣଗେଜେଟେଡ୍‌), ଗ୍ରୁପ୍‌-ସି (ଅଣଗେଜେଟେଡ୍‌) ପଦରେ ନିଯୁକ୍ତ ହେବେ ବୋଲି ଜଣାପଡିଛି । ଯୋଜନା ଅନୁଯାୟୀ ନବନିଯୁକ୍ତଙ୍କୁ କେନ୍ଦ୍ରୀୟ ଆର୍ମଡ୍ ଫୋର୍ସରେ ସବ୍‌ଇନିସ୍‌ପେକ୍ଟର ଓ କନଷ୍ଟେବଳ ସମେତ ବିଭିନ୍ନ ବିଭାଗରେ ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନିସ୍‌ପେକ୍ଟର ଏବଂ ଏମ୍‌ଟିଏସ୍ (ମଲ୍‌ଟି ଟାସ୍କିଂ ଷ୍ଟାଫ୍‌)ଭଳି ପଦରେ ଅବସ୍ଥାପିତ କରାଯିବ । ୟୁପିଏସ୍‌ସି, ଏସ୍‌ଏସ୍‌ସି, ରେଲୱେ ନିଯୁକ୍ତି ବୋର୍ଡ ଭଳି ସଂସ୍ଥା ଜରିଆରେ ନବନିଯୁକ୍ତଙ୍କୁ ମନୋନୀତ କରାଯାଇଛି । ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନୋନୟନ ପ୍ରକ୍ରିୟାକୁ ଯଥାସମ୍ଭବ ସରଳ କରାଯାଇଛି । ଚଳିତବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ସବୁ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତିକୁ ସମୀକ୍ଷା କରିଥିବାବେଳେ ଆସନ୍ତା ଦେଢବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଗ୍ରୁପ୍‌-ଏ’ (ଗେଜେଟେଡ୍‌) ପାହ୍ୟାରେ ୨୩,୫୮୪, ଗ୍ରୁପ୍‌-ବି’ (ଗେଜେଟେଡ୍‌) ପାହ୍ୟାରେ ୨୬,୨୮୨, ଗ୍ରୁପ୍‌-ବି’ (ଅଣଗେଜେଟେଡ୍‌) ପାହ୍ୟାରେ ୯୨,୫୨୫ ଏବଂ ଗ୍ରୁପ୍‌-ସି’ ପାହ୍ୟାରେ ୮.୩୬ ଲକ୍ଷ ପଦ ଖାଲିପଡିଛି । ଏଥିମଧ୍ୟରୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ କେବଳ ଗ୍ରୁପ୍‌-ବି’ (ଅଣଗେଜେଟେଡ୍‌) ପାହ୍ୟାରେ ୩୯,୩୬୬ ଓ ଗ୍ରୁପ୍‌-ସି’ ପାହ୍ୟାରେ ୨.୧୪ ଲକ୍ଷ ପଦ ଖାଲିପଡିଥିବାବେଳେ ରେଳବାଇରେ ୨.୯୧ ଲକ୍ଷ ଗ୍ରୁପ୍‌-ସି’ ପଦ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ୧.୨୧ ଲକ୍ଷ ଗ୍ରୁପ୍‌-ସି’ (ଅଣଗେଜେଟେଡ୍‌) ପଦ ଖାଲି ପଡିଥିବା ପ୍ରକାଶ ।

Comments are closed, but trackbacks and pingbacks are open.