ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ବାଧ୍ୟତାମୂଳକ: ମାର୍ଚ୍ଚ ସୁଦ୍ଧା ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

15

ଭୁବନେଶ୍ୱର: ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ସହ ସ୍କୁଲସ୍ତରରେ ଯେପରି ପିଲାମାନେ ଶିକ୍ଷାପଯୋଗୀ ପରିବେଶ ପାଇବେ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ଲାଗି ସ୍କୁଲ ବନ୍ଦ ରହିଥିବାରୁ ଅନ୍‌ଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇଥିଲା । ତେବେ ଗତ ୨ବର୍ଷରେ ଶିକ୍ଷାକ୍ଷେତ୍ରରେ ଯେପରି ସମସ୍ୟା ସୃଷ୍ଟି ହୋଇଥିଲା ତାହାର ସାମାଧାନ ଲାଗି ଗଣାିକ୍ଷା ବିଭାଗ ପକ୍ଷରୁ ଆକ୍ସନପ୍ଲାନ ପ୍ରସ୍ତୁତି ହୋଇଛି । ବିଶେଷକରି ରାଜ୍ୟର ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ କରିବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ଅନେକ ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ବେଳେ କିଛି ସ୍କୁଲରେ ବୁଦ୍ୟୁତ ବିଲ ପୈଠ କରାଯାଇନଥିବାରୁ ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେଣୁ ଏପରି ସମସ୍ୟାର ତଦାରଖ କରି ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସବୁ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୫୮ହଜାର ୮୯ଟି ଥିବା ବେଳେ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି । ସେଥିରୁ ୩୭ହଜାର ୬୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଜିଲ୍ଲାୱାରୀ ରିପୋର୍ଟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରେ ୧୦୫୩ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୩୩୬ଟି, ବରଗଡ଼ରେ ୧୧୩୬ଟି, ଭଦ୍ରକରେ ୯୧୭ଟି, ବଲାଙ୍ଗିରରେ ୧୭୩୬ଟି, ବୌଦ୍ଧରେ ୪୬୯, କଟକରେ ୧୨୮୦, ଦେଓଗଡ଼ରେ ୩୯୮, ଢ଼େଙ୍କାନାଳରେ ୧୦୩୧ଟି, ଗଜପତିରେ ୯୫୭, ଗଞ୍ଜାମରେ ୧୮୦୦, ଜଗତସିଂପୁରରେ ୫୭୯, ଯାଜପୁରରେ ୧୪୩୮, ଝାରସୁଗୁଡାରେ ୪୦୧, କଳାହାଣ୍ଡିରେ ୧୯୪୩, କନ୍ଧମାଳରେ ୧୫୧୯, କେନ୍ଦ୍ରାପଡ଼ାରେ ୧୦୮୧, କେନ୍ଦୁଝରରେ ୧୯୮୯, ଖୋର୍ଦ୍ଧାରେ ୭୮୨, କୋରାପୁଟରେ ୨୧୬୬, ମାଲକାନଗିରିରେ ୯୬୫, ମୟୁରଭଞ୍ଜରେ ୩୨୧୧, ନବରଙ୍ଗପୁରରେ ୧୬୦୨, ନୟାଗଡ଼ରେ ୬୬୨, ନୂଆପଡ଼ାରେ ୭୭୫, ପୁରୀରେ ୧୩୫୮, ରାୟଗଡାରେ ୧୫୭୩, ସମ୍ବଲପୁରରେ ୯୬୯, ସୋନପୁରରେ ୬୭୪, ସୁନ୍ଦରଗଡ଼ରେ ୧୮୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ । ଅପରପକ୍ଷେ କିଛି ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ସ୍କୁଲର ବିଦ୍ୟୁତ ବିଲ ପୈଠ କରାଯାଇନଥିବାରୁ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି । ସ୍କୁଲରେ ଯେଉଁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେଉଛି ତାହାର ବିଲ ପୈଠ ଲାଗି ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଅନେକ ସମୟରେ ସ୍କୁଲର ବିକାଶ ଲାଗି ଯେଉଁ ଅର୍ଥ ମିଳିଥାଏ ସେଥିରେ ବିଦ୍ୟୁତ ବିଲ୍ ପୈଠ କରାଯାଇଥାଏ । ବିଦ୍ୟୁତ ବିଲ ପୈଠ ଲାଗି ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ନଥିବାରୁ ଅନେକ ସ୍କୁଲରେ ବହୁ ଟଙ୍କା ବକେୟା ରହିଛି । ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ସ୍କୁଲଗୁଡିକ ଶୀଘ୍ର ଛୁଟି ହେବା ଦ୍ୱାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଏକାଡେମୀକ କ୍ୟାଲେଣ୍ଡର ଅନୁଯାୟୀ କୋର୍ସ ଶେଷ ହୋଇପାରୁନଥିଲା । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ପୂର୍ବରୁ ମଧ୍ୟ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମାତ୍ର କରୋନା ଲାଗି ଯୋଜନା ଅଧାରେ ରହିଥିଲା । ସ୍କୁଲ ବନ୍ଦ ଥିବାରୁ ରିପୋର୍ଟ ପ୍ରସ୍ତୁତି କରିବା ସମ୍ଭବ ନଥିଲା । ତେବେ ତେଣୁ କେଉଁ ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ଅଧାରେ ଲଟକିଛି ଏବଂ କେଉଁ ସବୁ ସ୍କୁଲକୁ ଆଦୌଂ ସଂଯୋଗୀକରଣ କରାଯାଇ ନାହିଁ ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୨ୟ ସପ୍ତାହ ସୁଦ୍ଧା ଏହି ଯାଞ୍ଚ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଲାଗି ମଧ୍ୟ କୁହାଯାଇଛି । ତେଣୁ ବିଦ୍ୟୁତ ସଂଯୋଗ ଲାଗି ଅବଶ୍ୟକ ବିଭାଗ ସହ ଯୋଗସୂତ୍ର କରାଯାଇ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ଏପରି ସମସ୍ୟା ସମ୍ପର୍କରେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା ।

Comments are closed, but trackbacks and pingbacks are open.