ଅର୍ଚ୍ଚନା ନାଗ ମାମଲା: ତଥ୍ୟ ଉଗାଳିଲା ଖଗେଶ୍ୱର, ୧୨ ଜଣଙ୍କୁ ନୋଟିସ କଲା ଇଡି

60

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମନି ଲଣ୍ଡ୍ରିଂ ମାମଲାରେ ୧୦ ଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ବିଜେନେସ୍ ପାର୍ଟନର ଖଗେଶ୍ୱର ପାତ୍ରାଙ୍କ ଆଜି ରିମାଣ୍ଡ ଶେଷ ହେେଇଛି । ଏହି ୧୦ ଦିନ ମଧ୍ୟରେ ଖଗେଶ୍ୱର ଇଡି ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାଳି ଦେଇଛି । ଇଡି ଅଧିକାରୀଙ୍କ ମାରାଥନ ଜେରାରେ ଖଗେଶ୍ୱର ସବୁ କହି ଦେଇଛି । ଇଡି ନିକଟରେ ଖୋଲିଛି ଅର୍ଚ୍ଚନା ମନି ଲଣ୍ଡ୍ରିଂର ଗୁପ୍ତ ସିନ୍ଧୁକର ଚାବି । ଗାଇ ଦେଇଛି ରାଜନେତା, ଗାଡି ସୋରୁ ମାଲିକ, ସୁନା ବ୍ୟବସାୟୀ ଏବଂ ବିଲଡରଙ୍କ ଟଙ୍କା ନେଣ ଦେଣର କଚ୍ଚା ଚିଠା । ଖୋଲି ଦେଇଛି ସମସ୍ତଙ୍କର ଅସଲ ମୁଖା । ଏହି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ ଜଣଙ୍କୁ ନୋଟିସ ଜାରି କରିଛି । ଏନେଇ ଇଡି ଅଧିକାରୀ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ତେବେ ଇଡି ଅଧିକାରୀ ଏହି ୧୨ ଜଣଙ୍କ ନାମ ଗୋପନ ରଖିଥିଲେ ମଧ୍ୟ ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି କିଛି ହ୍ୱାଇଟ୍ କଲର ବିଗ୍ ଏଲିଫ୍ୟାଣ୍ଟଙ୍କ ପାଖକୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । ଏମାନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ । ଅର୍ଚ୍ଚନା ସହ କେତେଟଙ୍କା ଦେଣ ନେଣ କରିଛନ୍ତି ସେନେଇ ପ୍ରଶ୍ନ ପଚରାଯିବ । ସବୁ ପ୍ରଶ୍ନର ଟିକ୍ ନିକ୍ ଉତ୍ତର ଦେବାକୁ ପଡିବ । ଅର୍ଚ୍ଚନାକୁ ଏମାନେ କେତେଟଙ୍କା ଦେଇଛନ୍ତି ଏବଂ କେତେଟଙ୍କା ନେଇଛନ୍ତି ତାହାର ହିସାବ ଦେବେ ଇଡି ଅଧିକାରୀଙ୍କୁ । ଏହାକୁ ନେଇ ଟଙ୍କା ଦେଇଥିବା ବଡ଼ବଡ଼ିଆ ଏବେ ଛାନିଆ । ଏମାନଙ୍କ ମଧ୍ୟରୁ କେତେଜଣ ଅସୁସ୍ଥ ହେବା ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳୁଛି । କାରଣ ଏମାନେ ଇଡି ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି । ଥରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ମାନ ସମ୍ନାନ ଚାଲିଯିବ । ଅନ୍ୟ ପକ୍ଷରେ ଖଗେଶ୍ୱରଙ୍କୁ ଅବଶ୍ୟକ ହେଲେ ପୁଣି ଜେରା କରିବା ପାଇଁ ଇଡି ଆବେଦନ କରିପାରେ । ସୂଚନାଯୋଗ୍ୟ ଗତକାଲି ପରିତ୍ୟକ୍ତ ଅବସ୍ଥାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏକ କାର ଠାବ କରାଯାଇଥିଲା । ତେବେ କିଏ ଏହି କାର ରଖିଥିଲେ ଏବଂ କଣ ପାଇଁ ଅଚାନକ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଗଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କର ଏକ କାର ଜଣେ ରାଜନେତାଙ୍କ ପାଖରେ ଦିନ ଦିନ ଧରି ଦେଖିବାକୁ ମିଳୁଥିଲା । ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ବେଳେ ସେ ଏହି କାରକୁ ବ୍ୟବହାର କରୁଥିଲେ । ଏଥିରେ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ବୁଲାଉଥିଲେ । ତେବେ ସମ୍ପୃକ୍ତ ରାଜନେତା ଏବେ ଇଡି ସ୍କାନରେ ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରମାଣ ମିଳିବା ମାତ୍ରେ ତାଙ୍କ ପାଖକୁ ଇଡିର ନୋଟିସ ଯିବ । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନ୍ୟ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କ ଏକ କାର ସୋରୁମ୍ ଖୋଲିଛନ୍ତି । ତାଙ୍କ ଠାରୁ ଅର୍ଚ୍ଚନା କାର କିଣିଛନ୍ତି । ତାହା ପୁଣି ଦାମୀ କାର । କାର କିଣିଲା ବେଳେ ହେବି ଡିସ୍‌କାଉଣ୍ଡ ପାଇଁ ସୁପାରିସ୍ ଆସିଥିଲା । ସେ ବାଧ୍ୟ ହୋଇ ଡିସକାଉଣ୍ଟ ଦେଇଥିଲେ । ଏନେଇ ଇଡି ତାଙ୍କୁ ଜେରା କରିବାକୁ ନୋଟିସ କରିପାରେ । ସମ୍ପୃକ୍ତ କାର ସୋରୁମ୍ ମାଲିକଙ୍କୁ ଜେରା ହେବାନେଇ ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଖଗେଶ୍ୱର ବୟାନକୁ ଆଧାର କରି ବିଲଡର ଏବଂ ପ୍ରଭାବଶାଳୀ ବ୍ୟକ୍ତିି ମଧ୍ୟ ନୋଟିସ କରାଯାଇଛି । ଜଣେ ବିଲଡରଙ୍କ ସହ ଲକ୍ଷାଧିକ ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଛି । ଏ ଟଙ୍କା କିନ୍ତୁ କ୍ୟାସ ଆକାରରେ ଟ୍ରାଞ୍ଜାକ୍ସନ୍ ହୋଇଛି । ଅପରପକ୍ଷରେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱର ଗିରଫ ହେବା ପରେ ଏହି ପ୍ରଭାବଶାଳୀ ଲୋକମାନେ ଯେତେ ଚିନ୍ତାରେ ନ ଥିଲେ ଖଗେଶ୍ୱରର ଇଡି ରିମାଣ୍ଡ ସେମାନଙ୍କୁ ଚିନ୍ତାରେ ପକାଇଥିଲା । ସତକୁ ସତ ସେଇଆ ହେଲା ଖଗେଶ୍ୱର ତଥ୍ୟ ଉଗାଳିଲା ପରେ ଏମାନଙ୍କୁ ନୋଟିସ କଲା ଇଡି ।
କୁଆଡେ ଗଲେ ଶ୍ରଦ୍ଧାଞ୍ଜଳି: ଖଗେଶ୍ୱରଙ୍କ ରିମାଣ୍ଡ ଶେଷ ହେବା ପରେ ଏବେ ଶ୍ରଦ୍ଧାଞ୍ଜଳୀକୁ ଖୋଜା ପଡିଛି । ଅର୍ଚ୍ଚନା ମାମଲାରେ ଖଗେଶ୍ୱରଙ୍କ ପରେ ଶ୍ରଦ୍ଧାଞ୍ଜଳୀ ଏକ ଚର୍ଚ୍ଚିତ ଚେହେରା । କୁଆଡେ ଗଲେ ଶ୍ରଦ୍ଧାଞ୍ଚଳୀ । ସେ ଏବେ କେଉଁଠି ଅଛନ୍ତିି । କାହା ପାଖରେ ଅଛନ୍ତି । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଅନୁଯାୟୀ ସେ ଶ୍ରଦ୍ଧାଞ୍ଜଳୀଙ୍କ ଦ୍ୱାରା ଅର୍ଚ୍ଚନା ଟଙ୍କା ମାଗୁଥିଲେ । ଶ୍ରଦ୍ଧାଞ୍ଜଳୀଙ୍କ ଠାରୁ ବହୁଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡିକୁ ମିଳିପାରେ । ଏନେଇ ଇଡି ତାଙ୍କ ଘରେ ରେଡ୍ ବି କରିଥିଲା । ହେଲେ ଶ୍ରଦ୍ଧାଞ୍ଜଳି ସେଠାରୁ ଫେରାର ହୋଇ ଯାଇଥିଲେ ।

Comments are closed, but trackbacks and pingbacks are open.