କିଟରେ ଶିକ୍ଷା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

45

୧ଶହ କୁଳପତି, ୨ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷଙ୍କ ଯୋଗଦାନ

ଭୁବନେଶ୍ୱର,୨୦ା୧୧: କିଟ୍‍ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ସମୟକୁ ସମୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ସର୍ବଭାରତୀୟ କୁଳପତି ସମ୍ମିଳନୀ ତଥା ଶିକ୍ଷା ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ,ସମଗ୍ର ବିଶ୍ୱରେ ଗୁରୁ ଓ ଶିଷ୍ୟ ପରମ୍ପରା ବହୁ ପୁରାତନ। ଶିକ୍ଷା ହିଁ ଗୁରୁଙ୍କ ମାଧ୍ୟମରେ ଶିଷ୍ୟମାନେ ଗ୍ରହଣ କରି ସମାଜରେ ପରିବ୍ୟାପ୍ତ କରିଆସିଛନ୍ତି। ଶିକ୍ଷା ହିଁ ପ୍ରତ୍ୟେକ ମଣିଷକୁ ମାନବତ୍ୱ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ଆମକୁ ଏକ ବ୍ୟବସ୍ଥିତ ସୀମା ମଧ୍ୟରେ ରହିବାକୁ ପ୍ରସ୍ତୁତ କରିବା ସହ ଆତ୍ମବିକାଶରେ ସହାୟକ ହୋଇଥାଏ। ଶାନ୍ତି, ମୈତ୍ରି ଓ ମାନବିକତା ସୁନିଶ୍ଚିତ କରିବାରେ ଆଧୁନିକ ଶିକ୍ଷା ବିଫଳ ହୋଇଛି ବୋଲି ପାଶ୍ଚାତ୍ୟ ଦେଶଗୁଡ଼ିକ ସମେତ ବିଶ୍ୱ ଏବେ ଅନୁଭବ କଲେଣି। ଅହଙ୍କାର, କ୍ରୋଧ, ଅସୂୟାଭାବ ପରିହାରକ କରି ସମସ୍ତଙ୍କ ପ୍ରତି ଦୟାଶୀଳ, ସମ୍ବେଦନଶୀଳ, ଭାତୃଭାବ ପ୍ରଦର୍ଶନ କରିବା ହେଉଛି ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ଲାଲ୍‍ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସର୍ବଭାରତୀୟ କୁଳପତି ସମ୍ମିଳନୀରେ ରଖାଯାଇଥିବା ବିଷୟବସ୍ତୁ ‘ଏଜୁକେସନ୍‍ ଫର ବିଲ୍‍ଡିଂ ହ୍ୟୁମାନିଟି ଉଇଥ ହାର୍‍ମୋନୀ ଆଣ୍ଡ ପିସ୍‍’ ବାସ୍ତବରେ ସମୟୋପଯୋଗୀ ଓ ଯଥାର୍ଥ ବୋଲି ରାଜ୍ୟପାଳ କହିଥିଲେ। 

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଲେ, ଶିକ୍ଷା କେବଳ ଯେ ଆମର ଜ୍ଞାନର ବିକାଶ କରିଥାଏ ତା ନୁହେଁ, ଏହା ଉପରେ ଗୋଟିଏ ରାଷ୍ଟ୍ରର ବିକାଶ ଓ ସମୃଦ୍ଧି ମଧ୍ୟ ନିର୍ଭର କରିଥାଏ। ରାଷ୍ଟ୍ର ଗଠନରେ ନୂତନ ଶିକ୍ଷାନୀତିର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଆମ ରାଜ୍ୟରେ ଖୁବ୍‍ ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଚଳନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ଆଇଆଇଏମ୍‍ ନାଗପୁରର ନିର୍ଦ୍ଦେଶକ ପ୍ରଫେସର ଭିମରାୟା ମେତ୍ରି କହିଲେ, ଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣ ବିଶେଷ କରି ଜନଜାତିଙ୍କ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ କିଟ୍‍ ସମସ୍ତଙ୍କ ଉଦାହରଣ ପାଲଟିଛି। ଜାତୀୟ ଶିକ୍ଷାନୀତିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସହ ମୂଲ୍ୟବୋଧ ଓ ପରମ୍ପରାର ସମନ୍ୱୟ ଘଟିଛି ବୋଲି ସେ କହିଥିଲେ । ଆଇଆଇଟି ଧରୱାଡର ନିର୍ଦ୍ଦେଶକ ପ୍ରଫେସର ଭି ଆର ଦେଶାଇ କହିଲେ, ଶିକ୍ଷାର ମାଧ୍ୟମ ରୂପେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବା ସହ ସଂସ୍କୃତକୁ ଦ୍ୱିତୀୟ ଭାଷା ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାରତର ସମୃଦ୍ଧ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ବର୍ତ୍ତମାନ ସମୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଯୋଧପୁର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପୁନମ ସାକ୍‍ସେନା ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ମାନବିକ ମୂଲ୍ୟବୋଧ ଓ ଦୟାଶୀଳ ଉପରେ ପର୍ଯ୍ୟବେସିତ କିଟ୍‍ ହେଉଛି ଏକ ସମାଜ ଆଧାରିତ ଅନୁଷ୍ଠାନ। ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କିଟ୍‍ ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଶିକ୍ଷାରେ ଅନ୍ତର୍ଭୁକ୍ତିକରଣ ସମେତ ଜାତୀୟ ଶିକ୍ଷା ନୀତିର ସମସ୍ତ ଉଦ୍ଦେଶ୍ୟ କିଟ୍‍ ପୂରଣ କରୁୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସ୍ୱାଗତ ଭାଷଣ ଦେଇ ଶିକ୍ଷା ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଅଣାଯାଇପାରେ ବୋଲି କହିଥିଲେ। ଏହି ଅବସରରେ ସେ କିଟ୍‍ର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପାଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସର୍ବଭାରତୀୟସ୍ତରର ୧ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର କୁଳପତି, ଆଇଆଇଟି, ଆଇଆଇଏମର ନିଦ୍ଦେର୍ଶକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ୩ଶହରୁ ଊର୍ଦ୍ଧ୍ୱ ଅଧ୍ୟକ୍ଷ, ଯୋଗ ଦେଇଥିଲେ। ଦିନ ତମାମ ୫ଟି ବିଭିନ୍ନ ସମାନ୍ତରାଳ ଅଧିବେଶନ, ତିନୋଟି ରାଉଣ୍ଡଟେବଲ୍‍ ଅଧିବେଶନ ଓ ଡିଜିଟାଲ୍‍ ଲାଇବ୍ରେରୀ ଉପରେ ଗୋଟିଏ ଅଧିବେଶନ ଅନୁଷ୍ଠିତ ହୋଇଥିଲା। 

Comments are closed, but trackbacks and pingbacks are open.