ଡିସେମ୍ବର ୭ରୁ ସଂସଦର ଶୀତ ଅଧିବେଶନ

19

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ସମ୍ପର୍କରେ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଟ୍ୱିଟ୍‌କରି ଜଣାଇଛନ୍ତି । ସେ କହିଛନ୍ତି, ଆଗାମୀ ଶୀତକାଳୀନ ଅଧିବେଶନ ମୋଟ ୨୩ ଦିନ ବସିବ; ଯେଉଁଥିରେ ୧୭ଟି ବୈଠକ ରହିବ । ଅମୃତ ମହୋତ୍ସବ ଅବସରରେ ଅଧିବେଶନରେ ସଂସଦୀୟ କାର୍ଯ୍ୟ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ ଏହି ଅଧିବେଶନର ବିଶେଷତ୍ୱ ହେଉଛି, ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନ୍ କଡ଼ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିବେ । ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଅନୁସାରେ ସରକାର ସଂସଦର ଆଗାମୀ ଅଧିନେଶରେ କେତେକ ବିଲ୍ ପାସ୍ କରିବା ଯୋଜନାରେ ଥିବାବେଳେ ବିରୋଧୀ ଦଳ ଜରୁରୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିପାରନ୍ତି । ଅଧିବେଶନର ପ୍ରଥମ ଦିନ ଦିବଗଂତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଗୃହ ସ୍ଥଗିତ କରାଯିବାର ସମ୍ଭାବନା ରହିଛି । ଲୋକସଭା ଏବଂ ରାଜ୍ୟସଭା ସଚିବାଳୟର ଅଧିକାଂଶ ସଦସ୍ୟ ଏବଂ କର୍ମଚାରୀଙ୍କ ଟିକାକରଣ ହୋଇସାରିଥିବାରୁ ଚଳିତ ଥର ଅଧିବେଶନ କରୋନା ପ୍ରୋଟୋକଲ୍ ବିନା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଗତ ଦୁଇବର୍ଷ କୋଭିଡ୍ କାରଣରୁ ସଂସଦ ଅଧିବେଶନ ଉପରେ ପ୍ରଭାବ ପଡ଼ିଥିଲା । ଭାରତ ଯୋଡ଼ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦର ଶୀତକାଳୀନ ଅଧିବେଶନରେ ସାମିଲ ହୋଇପାରିବେ ନାହିଁ ବୋଲି ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ।

Comments are closed, but trackbacks and pingbacks are open.