ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା: କଲେଜ ଛାଡ଼ିବେ ପୀଡ଼ିତା

19

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂର ଶିକାର ହୋଇଥିବା ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରୀ କଲେଜ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପାଇଁ ସେହି କଲେଜ ଆଉ ସୁରକ୍ଷିତ ନୁହେଁ ବୋଲି ପୀଡ଼ିତା ଓ ତାଙ୍କ ପରିବାର ଲୋକେ ମତ ଦେଉଛନ୍ତି । ଆଜି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ କଲେଜରେ ପହଞ୍ôଚ ଘଟଣାର ଅନୁଧ୍ୟାନ କରିଛନ୍ତି । କଲେଜରେ ଅଧିକ ସ୍କ୍ୱାର୍ଡ ଗଠକ କରିବା ସହ ଆଣ୍ଟି ରାଗିଂ କମିଟିକୁ ପୂର୍ଣ୍ଣ ସକ୍ରିୟ କରିବାକୁ କଳେଜର ଅଧ୍ୟକ୍ଷା ଡ. ପ୍ରମିଳା ଖାଡ଼ଙ୍ଗାଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବର୍ତ୍ତମାନ କଲେଜରେ ପୁଲିସ ମୁତୟନ ନିମନ୍ତେ ବଡ଼ବଜାର ଥାନାକୁ ଅନୁରୋଧ କରିବାକୁ ସେ କହିଛନ୍ତି । ଏହା ସହ କଲେଜକୁ ସୁରକ୍ଷା କର୍ମଚାରୀ ଯୋଗାଇବା ପାଇଁ ଶିକ୍ଷା ବିଭାଗକୁ ଚିଠି ଲେଖିବା ନିମନ୍ତେ ସେ କହିଥିବା କଳେଜର ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୀଡ଼ିତା ଓ ତାଙ୍କ ଅଭିଭାବକ ଆଜି କଲେଜରେ ପହଞ୍ôଚ କଳେଜର ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣା ପରେ ସେମାନେ ଝିଅକୁ ବିନାୟକ ଆଚାର୍ଯ୍ୟ କଲେଜରେ ପଢ଼ାଇବାକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ତାଙ୍କର ପିତା କହିଛନ୍ତି । ତେଣୁ ସେ ତାଙ୍କ ଝିଅକୁ ଅନ୍ୟ କୌଣସି ମହିଳା ମହାବିଦ୍ୟାଳୟରେ ପାଠ ପଢ଼ାଇବାକୁ ଚାହୁଁଥିବା ପୀଡ଼ିତାଙ୍କ ମା’ ଅଧ୍ୟକ୍ଷାଙ୍କୁ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କୁ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ଶିକ୍ଷା ବିଭାଗକୁ ଚିଠି ଲେଖାଯିବ ବୋଲି କଳେଜର ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ତେବେ ପୀଡ଼ିତା ଡରିନଯାଇ ମନୋବଳକୁ ଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ବିନାୟକ ଆଚାର୍ଯ୍ୟ କଲେଜର ଜଣେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ପୁଲିସ ଓ ଆଣ୍ଟି ରାଗିଂ କମିଟି ତଦନ୍ତ କରିଥିଲେ । ଏଥିରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ତଥା କଲେଜର ଛାତ୍ର ଅଭିଷେକ ନାୟକଙ୍କ ସମେତ ୫ ଜଣ ଛାତ୍ରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାବ୍ୟତୀତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଆଣ୍ଟି ରାଗିଂ କମିଟି ଚିହ୍ନଟ କରି ସେମାନଙ୍କୁ କଲେଜରୁ ବିତାଡ଼ିତ କରିଛି ।

Comments are closed, but trackbacks and pingbacks are open.