କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

20

ଭୁବନେଶ୍ୱର, ୧୬ ।୧୧: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି। କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ କିଟ୍‍, କିସ୍‍, କିମ୍‍ସର ୭୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ଏହା ଦୀର୍ଘ ୩ ମାସ ଧରି ଚାଲିବାକୁ ଥିବା ବେଳେ ୨୦୨୩ ଫେବୃଆରୀ ୨୩ ତାରିଖ କିଟ୍‍ର ପ୍ରତିଷ୍ଠା ଦିବସରେ ଉଦ୍‍ଯାପିତ ହେବ। ଏହି ତିନି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ଲୋକମାନଙ୍କୁ ଡକାଯାଇ ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏହି ସମୟ ମଧ୍ୟରେ କିଟ୍‍ ପକ୍ଷରୁ ନାନାଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରୌପ୍ୟ ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଟ୍‍, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇବା।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରଗ୍‍ବୀ ଫୁଟବଲ୍‍ ସଂଘର ସଭାପତି ରାହୁଳ ବୋଷ, ଅଲିମ୍ପିଆନ୍‍ ତଥା କିଟ୍‍ ଛାତ୍ରୀ ଦୂତି ଚାନ୍ଦ, କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ଉପକୁଳାଧିପତି ପଦ୍ମଶ୍ରୀ ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ ଡା. ସିବିକେ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରୌପ୍ୟ ଜୟନ୍ତୀ ସମ୍ପର୍କରେ ସୂଚନା ଦେଇ କହିଲେ, ୧୯୯୨ରେ କିଟ୍‍ ଏକ ଅନୁଷ୍ଠାନ ଭାବେ ପଞ୍ଜୀକୃତ ହୋଇ ଆଇଟିଆଇ ଆରମ୍ଭ ହୋଇଥିଲେ ମଧ୍ୟ ୧୯୯୭ରେ କିଟ୍‍ରେ ବିଭିନ୍ନ ସ୍ନାତକ ଓ ଅନ୍ୟାନ୍ୟ (ଗ୍ରାଜୁଏଟ୍‍ ଓ ଅଣ୍ଡର-ଗ୍ରାଜୁଏଟ୍‍) ପାଠ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ୧୯୯୭କୁ ମୂଳ ବର୍ଷ ଭାବେ ଗଣନା କରାଯାଇ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। କିଟ୍‍ ସହ ଦୀର୍ଘ ୨୫ରୁ ଊର୍ଦ୍ଧ୍ୱ ସମୟ ଧରି ଯେଉଁମାନେ ଜଡ଼ିତ ରହିଆସିଛନ୍ତି ସେମାନଙ୍କୁ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଥିଲେ। କିଟ୍‍ ଏହି ୨୫ବର୍ଷ ମଧ୍ୟରେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ମାଇଲଖୁଣ୍ଟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିଟ୍‍ରେ ୨୫ବର୍ଷ ଧରି ଚାକିରି କରିଥିବା କର୍ମଚାରୀମାନେ କିଟ୍‍ରେ ସେମାନଙ୍କ ଅଭିଜ୍ଞତା ନେଇ ବକ୍ତବ୍ୟ ରଖିଥିଲେ। ପରେ ଆତସବାଜୀ, ଲାଇଟ୍‍ ଓ ସାଉଣ୍ଡ ଶୋ, କିଟ୍‍ ଛାତ୍ରଛାତ୍ରୀଙ୍କ ଲିଖିତ ଏକ ପୁସ୍ତିକା ଉନ୍ମୋଚନ ଏବଂ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Comments are closed, but trackbacks and pingbacks are open.