ଜନଔଷଧୀ କେନ୍ଦ୍ର ଖୋଲିବାକୁ ଲାଞ୍ଚ: ସିବିଆଇ ଜାଲରେ ପିଏମ୍‌ବିଆଇର ମାର୍କେଟିଂ ଅଫିସର

17

ଭୁବନେଶ୍ୱର୍‌: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ସିବିଆଇର ୯ଜଣିଆ ଟିମ୍ ଚଢ଼ଉ କରିଛି । ଏକ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫାର୍ମାସ୍ୟୁଟିକାଲ୍ ଏଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍‌ବିଆଇ)ର ମାର୍କେଟିଂ ଅଫିସର ସ୍ୱରୂପ ପଣ୍ଡାଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ନିକଟରୁ ୧୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଅନ୍ୟପକ୍ଷରେ ସ୍ୱରୂପଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ରହିଥିବା ଅଭିଯୋଗକାରୀ ତଥା ବ୍ରହ୍ମପୁରର ଏନ୍‌.ଦିବାକର କହିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ସିବିଆଇ ଚଢ଼ଉ କରି ସ୍ୱରୂପକୁ ଧରିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ପିଏମ୍‌ବିଆଇ ଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କାର୍ଯ୍ୟକାରୀ କରାଯାଉଛି । ବ୍ରହ୍ମପୁରର ଏନ୍‌.ଦିବାକର ନାମକ ଜଣେ ବ୍ୟକ୍ତି ଏକ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ଆବେଦନ କରିଥିଲେ । କାଗଜପତ୍ର ଯାଞ୍ଚରେ କୋହଳ କରିବା ସହ ମଞ୍ଜୁର କରିବାକୁ ମାର୍କେଟିଂ ଅଫିସର ସ୍ୱରୂପ ପଣ୍ଡା ତାଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ୧୫ହଜାର ଟଙ୍କା ଦେବାକୁ ଦିବାକର ରାଜି ହୋଇ ପରେ ଏନେଇ ସେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ସିବିଆଇର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୯ଜଣିଆ ଟିମ୍ ଆସି ବ୍ରହ୍ମପୁରରେ ଦୁଇ ଦିନ ହେବ ଡେରା ପକାଇଥିଲେ । ଆଜି ବ୍ରହ୍ମପୁର ହରେକ୍ରିଷ୍ଣା ନଗର ୨ୟ ଲାଇନରେ ଥିବା ବ୍ୟାଡମିଣ୍ଟନ କୋର୍ଟ ନିକଟରେ ସ୍ୱରୁପ ପଣ୍ଡା ୧୫ ହଜାର ଟଙ୍କା ଲାଞ୍ଚ ନେଉବାସମୟରେ ସିବିଆଇ ଟିମ୍ ତାଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ବହୁ କାଗଜପତ୍ର ମଧ୍ୟ ଜବତ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସିବିଆଇ ତାଙ୍କ ଘରେ ଯାଞ୍ଚ ଜାରି ରଖିଥିବା ବେଳେ ଜନଔଷଧୀ ଆବେଦନର ବହୁ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.