ଅର୍ଚ୍ଚନା ହନିଟ୍ରାପ୍ ମାମଲା: ୧୦ କୋଟିର ସମ୍ପତ୍ତି ଠାବ କଲା ଇଡି

21

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପ୍ ମାମଲାର ଅର୍ଥ କାରବାର ଲିଙ୍କ୍‌ରେ ଇଡି ବିଜେନେସ୍ ପାର୍ଟନର ଖଗେଶ୍ୱରଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣି ତୁହାକୁ ତୁହା ଜେରା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଡି ମାମଲା ହାତକୁ ନେବାର ୪ ଦିନ ହୋଇନାହିଁ । ହେଲେ ଏହା ମଧ୍ୟରେ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟରୁ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମ୍ପତ୍ତି ତାଲିକା ଆଗକୁ ଲମ୍ବା ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଏହି ୧୦ କୋଟି ଟଙ୍କା ସମ୍ପର୍କରେ ଇଡି ପକ୍ଷରୁ ଏସ୍‌ଆଇଟିକୁ ସୂଚନା ଯାଇଥିବା ଜଣାପଡ଼ିଛି । ତେବେ ପୁଲିସ ଟଙ୍କା ଲିଙ୍କ୍‌ରେ ହାତ ମାରି ପାରି ନଥିଲା ବେଳେ ଇଡି କିଭଳି ଏତେ ଟଙ୍କା ମାତ୍ର ୪ ଦିନ ମଧ୍ୟରେ ବାହାର କରିଦେଲା ଏହାକୁ ନେଇ ପୁଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଆଜି ଏସ୍‌ଆଇଟିର ବୈଠକ ନୂଆଦିଲ୍ଲୀରେ ବସିଥିଲା । ବୈଠକରେ ଅର୍ଚ୍ଚନା ନାଗଙ୍କ ବେନାମୀ ସମ୍ପତ୍ତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନା ଏତେ ଟଙ୍କାର ସମ୍ପତ୍ତି ଅକ୍ତିଆର କରିଛନ୍ତି, ହେଲେ ଏହାର ଆୟକର ଦେଇଛନ୍ତି କି ନାହିଁ ତାହାର ମଧ୍ୟ ଖୋଳତାଡ଼ ହେବ । ଏନେଇ ଆୟକର ବିଭାଗକୁ ତଦନ୍ତ ପାଇଁ ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆୟକର ବିଭାଗର ତଦନ୍ତ ଆରମ୍ଭ ହେଲେ ଟଙ୍କା କାରବାରର ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ । ଅନ୍ୟପକ୍ଷରେ ଟଙ୍କା କାରବାର ଲିଙ୍କ୍‌ରେ ଖଗେଶ୍ୱରଙ୍କୁ ଜେରା ଚାଲିଥିଲା ବେଳେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ । ଅର୍ଚ୍ଚନାଙ୍କ କଳାଟଙ୍କା ଲିଙ୍କ୍‌ରେ ସୁରେନ୍ଦ୍ରଙ୍କୁ ପଚରାଉଚରା କରାଯାଇଥିଲା । ସୁରେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯାଇଥିବା ନେଇ ଇଡିକୁ ପ୍ରମାଣ ମିଳିଛି । ରିମାଣ୍ଡରେ ଥିବା ଖଗେଶ୍ୱର ଏବଂ ଅର୍ଚ୍ଚନାଙ୍କ ବାପାଙ୍କୁ ସାମ୍ନାସାମ୍ନୀ ଜେରା କରାଯାଇଥିଲା । ଇଡିର ଏକ ୫ ଜଣିଆ ଏକ୍ସ୍‌ପଟ୍ ଟିମ୍ ଜେରା କରିଥିଲା । ଜେରା ବେଳେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । କିଛି ବଡ଼ବଡ଼ିଆଙ୍କ ନାମ ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.