ରାଷ୍ଟ୍ରପତିଙ୍କ ତପୋବନ ହାଇସ୍କୁଲ ପରିଦର୍ଶନ

21

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ (ଆଲୁମିନି) ମାନଙ୍କ ସହିତ ପାରସ୍ପରିକ ଆଲୋଚନା ଓ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଆଇନ୍‌, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗଦେଇଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ଅତିଥିମାନେ ପହଞ୍ଚିବା ପରେ ବିଦ୍ୟାଳୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହି ସ୍କୁଲରେ ବିଭିନ୍ନ ଜିଲ୍ଲାରୁ ଆସି ପଢୁଥିବା କେତେକ ଛାତ୍ରଛାତ୍ରୀଙ୍କ ପରିଚୟ ପଚାରି ବୁଝିଥିଲେ । ତତ୍ ସହିତ ୭ ଜଣ ପୁରାତନ ଛାତ୍ରଛାତ୍ରୀ (ଆଲୁମିନି)ଙ୍କ ପରିଚୟ ପଚାରିବାରେ ତନ୍ମଧ୍ୟରୁ ଜଣେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତର ହୋଇଛନ୍ତି, ଅନ୍ୟ ଜଣେ ରେଳ ବିଭାଗରେ ଉପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଅନ୍ୟମାନେ ଡାକ୍ତର ଓ ଇଞ୍ଜିନିୟରିଂ ଭାବେ ଅଧ୍ୟୟନରତ ଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । କିଛି ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ୱାସ ରଖି କିପରି ଆଗକୁ ବଢିହେବ, ଆପଣଙ୍କ ଜୀବନର ଅନୁଭୂତିରୁ କିଛି କୁହନ୍ତୁ,ଏହି ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ମୁର୍ମୁ କହିଲେ ଯେ ସେତେବେଳେ ପରିସ୍ଥିତି ଆମର ଭିନ୍ନ ଥିଲା । ତାଙ୍କର ପ୍ରାଥମିକ ସ୍କୁଲ ରାଇରଙ୍ଗପୁରର ‘ଉପରବେଡା’ ସ୍କୁଲ ଥିଲା । ସେତେବେଳେ ସ୍କୁଲର ଛାତଘର ନଥିଲା । ଏବେ ତୁମ୍ଭେମାନେ ଭାଗ୍ୟବାନ ପିଲା । ବିଭିନ୍ନ ଗାଁରୁ ଆସିଥିବା ପିଲାମାନେ ସୁନ୍ଦର ପରିବେଶ ଥିବା ଏହି ବିଦ୍ୟାଳୟରେ ସବୁ ସୁବିଧା ସୁଯୋଗ ଥାଇ ଏଠାରେ ପାଠ ପଢୁଛ । ନିଜେ ଯେଉଁ ଲକ୍ଷ୍ୟ ରଖି ପାଠ ପଢୁଛ, ସେହି ଲକ୍ଷ୍ୟ ସାଧନ ପାଇଁ ଭଲ ପାଠପଢ଼ି ଆଗକୁ ବଢ଼ିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଦିନେ ଶିକ୍ଷୟିତ୍ରୀ ଥିଲେ । ଆପଣ ଆଜି ଏହି ବିଦ୍ୟାଳୟକୁ ଆସିଛନ୍ତି । କିପରି ଅନୁଭବ କରୁଛନ୍ତି ? ଏହାର ଉତ୍ତରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଦ୍ୟାଳୟର ପରିବେଶ ଓ ସମ୍ପୂର୍ଣ୍ଣ ଶୈକ୍ଷିକ ବାତାବରଣକୁ ଦେଖି ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ଯେ, ତାଙ୍କର ବିଦ୍ୟାଳୟ ପ୍ରତି ଈର୍ଷା ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ତୁମ୍ଭମାନଙ୍କ ଉପରେ ତୁମ ବାପା ମାଆଙ୍କର ଆଶୀର୍ବାଦ ରହିଛି । ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଥିବା ତାଙ୍କର ଜେଜେମା’, ତାଙ୍କର ରୋଲ ମଡେଲ ଥିଲେ ବୋଲି ପ୍ରକାଶ କରିବା ସହିତ ଭଲ ପାଠ ପଢି ନିଜ ବାପାମା’ ଓ ବିଦ୍ୟାଳୟର ସୁନାମ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଶୀତାଂଶୁ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଶିକ୍ଷା ବିଭାଗର ପଦାଧିକାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.