ଦିଲ୍ଲୀର ବାୟୁ ଗୁଣବତ୍ତାରେ ଉନ୍ନତି, ସମସ୍ତ କଟକଣା ହଟାଇଲା କେନ୍ଦ୍ର

24

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଦେଖାଦେବା ପରେ କିଛିଦିନ ଧରି ରାଜଧାନୀରେ ଲାଗୁ ହୋଇଥିବା କଟକଣାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । କମିଶନ୍ ଫର୍ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ୍ (ସିଏକ୍ୟୁଏମ୍‌) ଏହି ନିଷ୍ପତ୍ତି ନେବା ସହ ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍‌)-୪ ହଟାଇ ଗ୍ରାପ୍‌-୩କୁ ବଳବତ୍ତର ରଖିଛି । ଫଳରେ ଦିଲ୍ଲୀରେ ଏବେ ଟ୍ରକ୍ ପ୍ରବେଶ କରିପାରିବା ସହିତ ଅଣ-ବିଏସ୍ ୬ ଡିଜେଲ୍ ଯାନବାହନ ଉପରେ ଲାଗୁ କଣକଣା ମଧ୍ୟ ହଟିଯାଇଛି । ଏହା ବ୍ୟତୀତ ଦିଲ୍ଲୀରେ ଇଣ୍ଡଷ୍ଟ୍ରି ବନ୍ଦ ପାଇଁ ଦିଆଯାଇଥିବା ଆଦେଶ ମଧ୍ୟ ପ୍ରତ୍ୟହାର ହୋଇଛି । ଗତ କିଛିଦିନ ଧରି ଦିଲ୍ଲୀ-ଏନ୍‌ସିଆର୍‌ରେ ବୃଦ୍ଧି ପାଇଥିବା ପ୍ରଦୂଷଣ କାରଣରୁ ବାୟୁର ମାନ ବିପଜ୍ଜନକ ସ୍ତରକୁ ଚାଲିଯାଇଥିଲା । ଏହି କାରଣରୁ ଦିଲ୍ଲୀରେ ଗ୍ରାପ୍‌-୪ ଲାଗୁ କରାଯିବା ସହ ଦିଲ୍ଲୀ ସରକାର ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକୁ ବନ୍ଦ ଘୋଷଣା କରିଥିଲେ । ଏହା ସହିତ ସରକାରଙ୍କୁ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ନେଇ କାମ କରିବା ପରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଦିଲ୍ଲୀରେ ବାୟୁ ଗୁଣବତ୍ତା (ଏଆଇକ୍ୟୁ) ସ୍ତର ଏବେ ୩୩୯କୁ ଖସିଆସିଛି ।
ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଉଥିବା ଦୃଷ୍ଟିରୁ ନୋଏଡା ଟ୍ରାଫିକ୍ ପୁଲିସ ଶନିବାର ଏକ ଟ୍ରାଫିକ୍ ଆଡ୍‌ଭାଇଜରୀ ଜାରିକରି ଦିଲ୍ଲୀ ସୀମାରେ ଅଣ-ଜରୁରୀ ଟ୍ରକ୍ ଏବଂ ଅନ୍ୟ ବାହନଗୁଡ଼ିକର ପ୍ରବେଶ ଉପରେ କଟକଣା ଲାଗୁ କରିଥିଲା । ଗୌତମ ବୁଦ୍ଧ ନଗର ପୁଲିସ କମିଶନରେଟ୍ ପକ୍ଷରୁ ଜାରି ଆଡ୍‌ଭାଇଜରୀ ଅନୁସାରେ କଟକଣା ଚିଲ୍ଲା ବର୍ଡର, ଡିଏନ୍‌ଡି ଏବଂ କାଳନ୍ଦୀକୁଞ୍ଜ ବର୍ଡର୍‌ରେ ଲାଗୁ ହୋଇଥିଲା । ଅବଶ୍ୟ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯିବା ପାଇଁ ବିକଳ୍ପ ରୁଟ୍‌ର ବ୍ୟବସ୍ଥା କରାଯାଇଥିଲା ।
ଗ୍ରେଡେଡ୍ ଆକ୍ସନ୍ ପ୍ଲାନ୍ (ଗ୍ରାପ୍‌) ଅନୁସାରେ, ଆବଶ୍ୟକ ସାମଗ୍ରୀ ଏବଂ ସେବା ପ୍ରଦାନ କରୁଥିବା କିମ୍ବା ସିଏନ୍‌ଜି କିମ୍ବା ବିଦ୍ୟୁତ୍‌ଚାଳିତ ବାହନକୁ ଛାଡ଼ି ସମସ୍ତ ଟ୍ରକ୍‌ଗୁଡ଼ିକର ନୋଏଡାରୁ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା । ନୋଏଡା ସୀମାରୁ ଦିଲ୍ଲୀରେ ବିଏସ୍‌-୩ (ପେଟ୍ରୋଲ୍‌) ଏବଂ ବିଏସ୍‌-୪ (ଡିଜେଲ୍‌) ହାଲୁକା ଚାରିଚକିଆ ଯାନଗୁଡ଼ିକର ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ସେହିପରି ଆଡ୍‌ଭାଇଜରୀ ଅନୁସାରେ ଆବଶ୍ୟକ ସାମଗ୍ରୀ ଏବଂ ସେବାରେ ବ୍ୟବହୃତ ବାହନ ବ୍ୟତୀତ ଡିଜେଲ୍ ଚାଳିତ ମଧ୍ୟମ ଧରଣର ମାଲବାହୀ ବାହନ ଏବଂ ଭାରୀ ମାଲବାହୀ ବାହନର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା ।

Comments are closed, but trackbacks and pingbacks are open.