ଯୁବକର ଏକ ତରଫା ପ୍ରେମ: ଛୁରାମାଡ଼ରେ ଇଞ୍ଜିନିୟରିଂ ଛାତ୍ରୀ ଗୁରୁତର

37

ଭୁବନେଶ୍ବର : ଏକ ତରଫା ପ୍ରେମ କରି ବିଫଳ ହେବାରୁ ପ୍ରତାନ ନଗରୀ ଅଞ୍ଚଳରେ ଜଣେ ଯୁବକ ଜଣେ ଇଂଜିନିୟର ଛାତ୍ରୀଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଛି । ଏହି ଆକ୍ରମଣରେ ଛାତ୍ରୀଜଣକ ଗୁରୁତର ଭାବେ ଆହତ ହୋଇଥିଲା ବେଳେ ସଂପୃକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆହତ ଛାତ୍ରୀଙ୍କୁ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରତାପ ନଗରର ସତ୍ୟରଞ୍ଜନ ବେହେରା (୨୦) ସେହି ଗ୍ରାମର ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଏକ ତରଫା ଭଲ ପାଉଥିଲା । ଛାତ୍ରୀ ଜଣଙ୍କୁ ସବୁ ସମୟରେ ସେ ପିଛା କରୁଥିଲା । ସେ କଲେଜ ଯିବା ଆସିବା ସମୟରେ ତାଙ୍କ ବାଟ ଓଗାଳି ବିବାହର ପ୍ରତିଶ୍ରୁତି ଦେଉଥିଲା । ଛାତ୍ରୀଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା । ମାତ୍ର ଛାତ୍ରୀ ଜଣକ ଏଥିରେ ରାଜି ହୋଇ ନଥିଲେ । ସତ୍ୟରଞ୍ଜନର ପ୍ରେମ ନିବେଦନକୁ ସେ ବାରମ୍ବାର ପ୍ରତ୍ୟାଖାନ କରିଚାଲିଥିଲେ । ଏଣୁ ସତ୍ୟରଞ୍ଜନ ପ୍ରତିକ୍ରିୟା ପରାୟଣ ହୋଇଉଠିଥିଲା । ଆଜି ଅପରାହ୍ଣ ୨ଟା ବେଳେ ଛାତ୍ରୀ ଜଣକ ଫୁଲନଖରା ନିକଟସ୍ଥ ଇଞ୍ଜିନିୟରିଂ କଲେଜରୁ ବସ୍‌ରେ ଆସି ଜାତୀୟ ରାଜପଥର ପ୍ରତାପ ନଗରୀ ଷ୍ଟପେଜ୍‌ରେ ଓହ୍ଲାଇ ଗାଁ ଭିତରକୁ ଚାଲିଚାଲି ଯାଉଥିଲେ । ହଠାତ୍ ସତ୍ୟରଞ୍ଜନ ଏକ ବୁଲେଟରେ ଆସି ଛାତ୍ରୀଙ୍କ ବାଟ ଓଗାଳିଥିଲା । ଏହାପରେ ସେ ଛାତ୍ରୀଙ୍କୁ ଟଣାଓଟରା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା । ଛାତ୍ରୀ ଜଣକ ଏଥିରେ ତୀବ୍ର ପ୍ରତିବାଦ କରିଥିଲେ । ଏଥିରେ ସେ ଭୀଷଣ ଭାବେ ରାଗିଯାଇ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା । ଛୁରୀରେ ଛାତ୍ରୀଙ୍କ ବେକକୁ କାଟିବାକୁ ସେ ଉଦ୍ୟମ କରିଥିଲା । ମାତ୍ର ଛାତ୍ରୀ ଜଣକ ପ୍ରତିରୋଧ କରିବାକୁ ଯାଇ ନିଜ ଡାହାଣ ହାତ ଦେଖାଇ ଦେବାରୁ ହାତରେ ଗଭୀର ଆଘାତ ଲାଗିଥିଲା । ପୁଣି ସେ ଛାତ୍ରୀଙ୍କ ପେଟକୁ ଛୁରି ମାରିବାକୁ ଉଦ୍ୟମ କରିଥିଲା । ମାତ୍ର ଛାତ୍ରୀ ଜଣକ ନିଜକୁ ରକ୍ଷା କରିବା ପାଇଁ ବୁଲି ପଡ଼ିବାରୁ ଛୁରୀ ଜଂଘରେ ବାଜିଥିଲା । ଛୁରୀରେ କଟିଯାଇ ତାଙ୍କ ହାତ ଓ ଜଂଘରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଛାତ୍ରୀ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ସତ୍ୟରଞ୍ଜନ ଗାଡ଼ି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଛାତ୍ରୀଜଣଙ୍କ କଟକ ସଦର ଥାନାରେ ଏତଲା ଦେଇଛନ୍ତି । ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସତ୍ୟରଞ୍ଜନକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.