୩୦ ବର୍ଷର ଘର – ଜମି ମାଲିକ ଜଙ୍ଗଲ ବିଭାଗ

34

ଭୁବନେଶ୍ୱର: ସାଧାରଣ ପ୍ରଶାସନ ବିଭାଗରୁ ଜମି ଆଣି ଭୁବନେଶ୍ୱର ଭୁବନେଶ୍ୱର କର୍ତ୍ତୃପକ୍ଷ (ବିଡିଏ) ଲୋକଙ୍କୁ ବିକି ଦେଲେ । ସରକାରୀ ଜମି ହୋଇଥିବାରୁ ଲୋକେ ବି ଆଗପଛ ନବିଚାରି ଜମି ନେଇ ଘର କରିଦେଲେ । ହେଲେ ଘର କରି ରହିବାର ୩୦ ବର୍ଷ ପରେ ବି ଜମିର ମାଲିକ ହୋଇପାରୁ ନାହାନ୍ତି । ଏବେ ବି ଜମିର ମାଲିକ ହେଉଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ । ଏଭଳି ଜମି ରହିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ବରମୁଣ୍ଡା ବିଡିଏ କଲୋନୀରେ ଥିବା ୨୫୭ଜଣ ଘର ମାଲିକଙ୍କର ସମାନ ଅବସ୍ଥା । ଦୁଇ ଦଶନ୍ଧି ହେଲା ଜମିକୁ ନିଜ ନାମରେ କରିବାପାଇଁ ଏ ଦପ୍ତରରୁ ସେ ଦପ୍ତର ଦଉଡୁଛନ୍ତି । ସରକାରୀ ଦପ୍ତରକୁ ଦଉଡି ଦଉଡି ୫୦ରୁ ଉର୍ଦ୍ଧ୍ୱ ଘର ମାଲିକ ଆରପାରିକୁ ଚାଲିଗଲେଣି । ସେମାନଙ୍କ ପିଲାମାନେ ବି ଏହି ଘରକୁ ବିକ୍ରି କରିପାରୁ ନାହାନ୍ତି । ଅନେକ ଘର ମାଲିକ ବିଭିନ୍ନ କାରଣ ଯୋଗୁଁ ଏଠାରୁ ଘର ବିକ୍ରି କରିବାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇପାରୁ ନାହିଁ । ସୂଚନା ଅନୁଯାୟୀ ୧୯୯୨ ମସିହାରେ ସାଧାରଣ ପ୍ରଶାସନ ବିଭାଗରୁ ଜମିକୁ ଲିଜ୍‍ ସୂତ୍ରରୁ ଆଣି ବିଡିଏ ସାଧାରଣ ଲୋକଙ୍କୁ ଘର କରି ରହିବାପାଇଁ ହସ୍ତାନ୍ତର କରିଥିଲା । ଏ ବାବଦରେ ବିଡିଏ କର୍ତ୍ତୃପକ୍ଷ ଧାର୍ଯ୍ୟ ଦର ନେଇଥିଲେ । ଯେହେତୁ ସରକାରୀ ଜମି, ତେଣୁ ଲୋକେ ଆଗପଛ ନବିଚାରି ବିଡିଏ ଠାରୁ ଜମି ନେବା ସହିତ ଏହା ଉପରେ ନିଜ ମନପସନ୍ଦର ଘର କରିଥିଲେ । ବିଡିଏ ଠାରୁ ଜମି ମିଳିଥିବାରୁ ସହଜରେ ବ୍ୟାଙ୍କ୍‍ ଋଣ ସହିତ ନକ୍ସା ଅନୁମୋଦନ ବି ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ କିଛି ବ୍ୟକ୍ତି ନିଜର ଘର ବିକ୍ରି କରିବାକୁ ଚାହିଁଲେ ସେତେବେଳେ ଜଣାଗଲା ଯେ ଏହି ଜମିର ମୂଳ ମାଲିକ ହେଉଛି ଜଙ୍ଗଲ ବିଭାଗ । ଜଙ୍ଗଲ ବିଭାଗ ଜମିକୁ ସାଧାରଣ ପ୍ରଶାସନ ବିଡିଏକୁ ହସ୍ତାନ୍ତର କରିଛି ଏବଂ ବିଡିଏ ଜମିର କିସମ ନବଦଳାଇ ଲୋକଙ୍କୁ ଟେକି ଦେଇଛି । ଜମିର କିସମ ପରିବର୍ତ୍ତନ ନହେଲେ ତାହା ବିକ୍ରି ହୋଇପାରିବ ନାହିଁ । ଏହା ଜାଣିବାପରେ ବରମୁଣ୍ଡା ବିଡିଏ କଲୋନୀର ଅଧିକାଂଶ ଲୋକ ଜମିକୁ ନିଜ ନାମରେ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଦପ୍ତରକୁ ଦଉଡୁଛନ୍ତି ।  ଇତି ମଧ୍ୟରେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ କ୍ଷତିପୂରକ ବନୀକରଣ ଯୋଜନାରେ କୋରାପୁଟ ଠାରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । କ୍ଷତି ଭରଣା ପାଇଁ ସେଠାରେ ଜଙ୍ଗଲ ସୃଷ୍ଟି କରାଯିବ । ଏହା ସତ୍ୱେ ବି ଘର ମାଲିକଙ୍କ ନାମରେ ସହଜରେ ଏହି ଜମିର ମାଲିକାନା ଦରଜ ହୋଇପାରୁ ନାହିଁ । ଫଳରେ ଜମିର ମୂଳ ମାଲିକ ଓ ସେମାନଙ୍କ ଅନ୍ତେ ସେମାନଙ୍କ ପିଲାମାନେ ଏହି ଜମିକୁ ବିକ୍ରି କରିପାରୁ ନାହାନ୍ତି । ଏପରିକି ବିଦେଶରେ ଥିବା ଅନେକ ଘର ମାଲିକ ଏହାକୁ ବିକ୍ରି ପାଇଁ ବ୍ୟାକୁଳ ହେଉଥିଲେ ବି ସହଜରେ ତାହା ହୋଇପାରୁ ନାହିଁ । ଏ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦା ମୁଖ୍ୟ ଶାସନ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିକଟକୁ ଦଉଡୁଥିବା ଜଣାଯାଇଛି ।

Comments are closed, but trackbacks and pingbacks are open.