ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ପରିବହନ ବିଭାଗକୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

27

ଭୁବନେଶ୍ବର : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସମ୍ପର୍କିତ କଡ଼ା ନିୟମାବଳୀକୁ ନେଇ ରୁଜୁ ମାମଲାରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସତ୍ୟପାଠ ଦାଖଲ କରିବାକୁ ପରିବହନ ବିଭାଗକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି । ସ୍ଲଟ୍ ବୁକିଂର ସ୍ଥିତି ତଥା ଏଥିପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ସଂକ୍ରାନ୍ତରେ ଜଣାଇବାକୁ ମୁଖ୍ୟ ବିଚାରପତି ଡକ୍ଟର.ଏସ୍‌.ମୁରଲୀଧର ମାମଲାର ଶୁଣାଣି କରି ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୩୧ ତାରିଖକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ଇତିମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରି ସତ୍ୟପାଠ ପ୍ରଦାନ କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ରାଜ୍ୟ ପରିବହନ ବିଭାଗ ଗତ ଅକ୍ଟୋବର ୧ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ଘୋଷଣା କରିଥିଲେ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଜୋରିମାନା ଦେବାକୁ ହେବ । ଯଦି ପ୍ଲେଟ୍ ତିଆରି ହୋଇନାହିଁ,ତେବେ ସ୍ଲଟ୍ ବୁକିଂ କରାଯାଇଥିବା ରସିଦ ଦେଖାଇଲେ ଜୋରିମାନାରୁ ବର୍ତ୍ତି ହେବ । ଏହାକୁ ନେଇ ଗାଡ଼ି ଚାଳକ ଓ ମାଲିକଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଥିଲା । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିମନ୍ତେ ଏଚ୍‌ଏସ୍‌ଆରପି ୱେବସାଇଟ୍‌ରେ ସ୍ଲଟ ବୁକିଂ କରିବାକୁ ପଡ଼େ । ହେଲେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରାଜ୍ୟର ସବୁଠାରେ ଉପଲବ୍ଧ ନାହିଁ । ଇଣ୍ଟରନେଟ ସୁବିଧା ମଧ୍ୟ ସମସ୍ତଙ୍କ ପାଖରେ ନାହିଁ । ଏପରି ସ୍ଥିତିରେ ସରକାର ନିୟମ କଡ଼ାକଡ଼ି କରିବାକୁ ନେଇ ପୂର୍ବ ଶୁଣାଣି ବେଳେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ । ବ୍ୟବସ୍ଥା ଠିକ୍ ନଥିବା ବେଳେ ଲୋକମାନେ ଆଉ କଣ ବିକଳ୍ପ ବ୍ୟବସ୍ଥା ଆପଣାଇ ପାରିବେ ସେନେଇ ତଥ୍ୟ ଉପସ୍ଥାପନ ନିମନ୍ତେ ହାଇକୋର୍ଟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷେ ରାଜ୍ୟ ସରକାର ନିଜ ଆଡ଼ୁ କଡ଼ାକଡ଼ି ଯାଞ୍ଚ ଉପରେ ମାସେ ସମୟସୀମା ବୃଦ୍ଧି କରିଥିଲେ । ଏଥି ସହିତ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍‌, ଜନସେବା କେନ୍ଦ୍ରକୁ ଏଥିରେ ସାମିଲ୍ କରାଯିବ ବୋଲି ସରକାର ଅଦାଲତଙ୍କୁ ଅବଗତ କରାଇଥିଲେ ।

Comments are closed, but trackbacks and pingbacks are open.