ବାଂଲାଦେଶରେ ‘ସିତରଙ୍ଗ’ର ତାଣ୍ଡବ: ୨୪ ମୃତ

39

ନୂଆଦିଲ୍ଲୀ: ବାଂଲାଦେଶର ତଟବର୍ତ୍ତୀ ଅଞ୍ଚଳରେ ମାଡ଼ହେବା ପରେ ସାମୁଦ୍ରିକ ଝଡ଼ ‘ସିତରଙ୍ଗ୍‌’ ଦୁର୍ବଳ ପଡ଼ିବା ସହ ଭାରତମୁହାଁ ହୋଇଛି । ଏହା ଫଳରେ ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ବିଭାଗ ଏହି ରାଜ୍ୟଗୁଡ଼ିକ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି । ଆଇଏମ୍‌ଡି ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ସିତରଙ୍ଗ ଭାରତରେ ପ୍ରବେଶ କରିଛି । ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ତ୍ରିପୁରା, ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର ଏବଂ ନାଗାଲାଣ୍ଡ୍‌ରେ ୧୦୦ରୁ ୧୧୦ କିମି ବେଗରେ ପବନ ବହୁଛି । ମଙ୍ଗଳବାର ଦିନ ଆସାମ ରାଜଧାନୀ ଗୁଆହାଟୀରେ ବର୍ଷା ପରେ ସଡ଼କ ପାଣିରେ ବୁଡ଼ିଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲର୍ଟ ମୋଡ୍‌ରେ ରହିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ସୋମବାର ସିତରଙ୍ଗ ବାଂଲାଦେଶରେ ଭୟଙ୍କର ତାଣ୍ଡବ ରଚିଥିଲା । ଏହି ସାମୁଦ୍ରିକ ଝଡ଼ରେ ସୋମବାର ରାତିରେ ବାଂଲାଦେଶରେ ମାଡ଼ ହେବା ଫଳରେ ବରଗୁନା, ନାରେଲ୍‌, ସିରାଜଗଞ୍ଜ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଭୋଲାରେ ୨୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । କାରଣ ଅନ୍ୟ ଜିଲ୍ଲାଗୁଡ଼ିରେ ମଧ୍ୟ ବହୁ ଲୋକ ହାତହ ହୋଇଥିବା ଖବର ମିଳିଛି । ସେହିପରି ସିତରଙ୍ଗ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି । ଅନେକ ଘର ଭାଙ୍ଗିରୁଜି ଯାଇଛି । ପାଣିପାଗ ବିଭାଗ ଅନୁସାରେ ବାଂଲାଦେଶରେ ଦୁର୍ବଳ ହୋଇପଡ଼ିଥିବା ସିତରଙ୍ଗ ମଙ୍ଗଳବାର ସକାଳେ ତିନକୋନା ଦ୍ୱୀପ ଏବଂ ବାରିସଲ ନିକଟ ସାଣ୍ଡୱିଚ୍ ମଧ୍ୟରେ ବାଂଲାଦେଶ ଉପକୂଳ ପାର କରିଛି । ଏହା ପୂର୍ବରୁ ଆଇଏମ୍‌ଡି ଦେଶର ୭ଟି ରାଜ୍ୟ ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର ଏବଂ ନାଗାଲାଣ୍ଡ ପାଇଁ ଆଲର୍ଟ ଜାରି କରିଥିଲା । ଏହା ବ୍ୟତୀତ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ସିତରଙ୍ଗର ସବୁଠୁ ଅଧିକ ପ୍ରଭାବ ସୁନ୍ଦରବନ ଏବଂ ପୂର୍ବ ମେଦିନୀପୁରର ତଟବର୍ତ୍ତୀ ଅଞ୍ଚରେ ପଡ଼ିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ସୋମବାର ସକାଳେ ଆସାମରେ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟର କରିମଗଞ୍ଜ, କଚ୍ଛାର, ହାଲାକାଣ୍ଡି ଏବଂ ଦିମା ହସାଓ ଜିଲ୍ଲାରେ ବର୍ଷା ହୋଇଥିଲା ।

Comments are closed, but trackbacks and pingbacks are open.