ଧାମନଗର ବ୍ୟାଟଲ୍ ଫିଲ୍ଡ୍ :୨୭ରୁ ଅସଲ ‘ଷ୍ଟାର୍ ୱାର୍‌’

31

ଭୁବନେଶ୍ୱର: ଟକ୍କର ପାଇଁ ଧାମନଗର ତୟାର । ବ୍ୟାଟଲ୍ ଫିଲ୍ଡ୍‌ରେ ଚାଲିଛି ସମର ସଜ୍ଜା । ସ୍ୱାଧୀନ ପ୍ରାର୍ଥୀଙ୍କୁ ଛାଡ଼ି ଦେଲେ ତିନି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳର ଛାମୁଆଁ ନେତା ତଥା ଷ୍ଟାର୍ ପ୍ରଚାରକମାନେ ଭିଡ଼ ଜମାଇବେ । ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ସଭା ଓ ରୋଡ୍ ଶୋ’ମାନ କରି କି’ଏ କେତେ ପ୍ରତିଶ୍ରୁତିର ଅବିର ବାଣ୍ଟିବେ । ୨୭ରୁ ଏହି ପ୍ରକ୍ର୍ରିୟା ଜୋର୍‌ଦାର୍ ହେବ । ସେଇଦିନୁ ହିଁ ଆରମ୍ଭ ହେବ ଅସଲ ‘ଷ୍ଟାର୍ ୱାର୍‌’ ।
ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଧାମନଗରରେ ହେଉଛି ଅନ୍ତିମ ଉପ ନିର୍ବାଚନ । ତେଣୁ ଶାସକ ଓ ବିରୋଧୀ କେହି କାହାକୁ ଛାଡ଼ିବା ସ୍ଥିତିରେ ନାହାଁନ୍ତି । ସମସ୍ତେ ନିଜର ଦମ୍ ଦେଖାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ବିଶେଷକରି ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ଚତୁର୍ମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏବେଠାରୁ ରାଜନୀତି ସର୍‌ଗରମ୍ ହେବା ସ୍ୱାଭାବିକ । ନଭେମ୍ବର ୩ରେ ଭୋଟ୍ । ଅର୍ଥାତ୍ ନିର୍ବାଚନକୁ ଆଉ ଆଠ ଦିନ ବାକି । ମାହୋଲ ସର୍‌ଗରମ୍ । କିଏ ବିଜୟୀ ହେବ ତାହା ଭିନ୍ନ କଥା ହେଲେ ଏବେଠାରୁ ଆରମ୍ଭ ହୋଇଯାଇଛି କାଉଁଣ୍ଟଡାଉନ୍ । ବ୍ୟାଟଲ୍ ଫିଲ୍ଡରେ ପ୍ରତିଦ୍ୱନ୍ଦ୍ୱୀ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଛି ଛକାପଚଞ୍ଛା । ଭୋଟର୍‌ଙ୍କୁ ମନାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଗାଁ ଗାଁରେ ଡେରା ପାକାଇଛନ୍ତି ଉଭୟ ଶାସକ ଓ ବିରୋଧୀ ନେତା ।
ଦୀପାବଳି ଓ ସୂର୍ଯ୍ୟୋପରାଗ ପାଇଁ ନିର୍ବାଚନ ପ୍ରଚାର ଦୁଇ ଦିନ ପାଇଁ ବନ୍ଦ୍ ରହିଥିଲା । ବୁଧବାରରୁ ପୁଣି ପ୍ରଚାର ଆରମ୍ଭ ହେଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୩୧ରେ ଧାମନଗର ଯାଇ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତେଣୁ ଦଳର ଆଗଧାଡ଼ିର ନେତାମାନେ ଧାମନଗରରେ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସେହି ନେତାମାନେ ହେଉଛନ୍ତି ବିଜେଡ଼ି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ସୁଲତା ଦେଓ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଅନ୍ୟତମ । ଏମାନଙ୍କ ବ୍ୟତୀତ ବହୁ ବିଜେଡ଼ି ନେତା ଓ ମନ୍ତ୍ରୀ ୨୭ରୁ ଜୋର୍‌ଦାର୍ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତେବେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବି ରଣନୀତି ପ୍ରସ୍ତୁତ ହୋଇଛି । ଉଭୟ ଦଳର ଛାମୁଆଁ ନେତାଙ୍କ ପ୍ରଚାର ଅଭିଯାନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଚଳିତ ମାସ ୨୭ ଓ ୨୮ ଦୁଇ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ୍‌ଙ୍କ ଲାଗି ପ୍ରଚାର କରିବେ । ତାଙ୍କ ସହିତ ଷ୍ଟାର୍ ପ୍ରଚାରକ ଭାବରେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଓ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହି ପ୍ରଚାରରଙ୍କ ମଙ୍ଗ ବି ଧରିବେ । ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବି ପଛରେ ପଡ଼ିନାହାନ୍ତି । ତାଙ୍କ ପାଇଁ ୨୭ରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ବୈଦାନକୁ ଉହ୍ଲାଇବେ । ସେହିପରି ଅନ୍ୟ ବଡ଼ ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରା ବାହିନୀପତିଙ୍କ ସମେତ ବହୁ ପ୍ରମୁଖ ନେତା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିବେ । ତେବେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେଣୁ ଆଗାମୀ ୮ରେ ଭୋଟ୍ ଗଣତି ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଉଲ୍ଲେଖନୀୟ ଯେ, ଧାମନଗର ଉପନିର୍ବାଚନରେ ମୋଟ୍ ୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ଭିତରୁ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିଲାବେଳେ ଆଉ ୫ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ସେମାନେ ହେଉଛନ୍ତି ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ୍‌, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ । ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କର ନିଜର ଦଳୀୟ ଚିହ୍ନ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ବାଚନୀ ଚିହ୍ନ ‘ଭାସମାନ ଡଙ୍ଗା’ ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କ ନିର୍ବାଚନୀ ଚିହ୍ନ ‘ଶୀତତାପ ନିୟନ୍ତ୍ରିତ ଯନ୍ତ୍ର’ ମିଳିଛି । ନୂଆ ଚିହ୍ନ ନେଇ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଲଢ଼ୁଥିଲେ ହେଁ ତାଙ୍କ ଭୋଟ୍ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଷାରଦମାନେ ମତପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.