ଅଯୋଧ୍ୟା ଦୀପୋତ୍ସବରେ ଜଳିଲା ୧୫ ଲକ୍ଷ ଦୀପ: ଶ୍ରୀରାମଙ୍କ ବାଣୀରେ ଅନୁପ୍ରେରିତ ହେବାକୁ ମୋଦୀଙ୍କ ଆହ୍ୱାନ

25

ଲକ୍ଷ୍ନୌ: ପବିତ୍ର ଦୀପାବଳି ଉପଲକ୍ଷେ ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ‘ଦୀପୋତ୍ସବ’ ଆୟୋଜିତ ହୋଇଛି । ଏବର୍ଷ ଦୀପୋତ୍ସବରେ ୧୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉତ୍ସବରେ ଯୋଗଦେବା ସହ ଦେଶବାସୀଙ୍କୁ ଦୀପାବଳି ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ମୋଦୀ କହିଛନ୍ତି ଯେ ଅଯୋଧ୍ୟା ହେଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ । ଦୀପୋତ୍ସବର ମାହାତ୍ମ୍ୟକୁ ବଜାୟ ରଖି ଦେଶବାସୀ ଶ୍ରୀରାମଚନ୍ଦ୍ରଙ୍କ ବାଣୀରେ ଉଦବୁଦ୍ଧ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ନିଜର ମର୍ଯ୍ୟାଦା ରକ୍ଷା କରିବା ସହ ଅନ୍ୟକୁ ମର୍ଯ୍ୟାଦା ପ୍ରଦାନ କରିବା ତାଙ୍କର ସବୁଠାରୁ ମହତ ଗୁଣ ଥିଲା । ଦେଶ ଆଜି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବାବେଳେ ଏହି ଦୀପୋତ୍ସବର ଯଥେଷ୍ଟ ଗୁରୁତ୍ୱ ରହିଥିବା ମୋଦୀ କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଭଳି ଦୃଢପ୍ରତିଜ୍ଞ ହେଲେ, ଦେଶକୁ ନୂତନ ଶିଖରରେ ପହଞ୍ଚାଇ ହେବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି । ନିକଟରେ କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଜପଥ‘କୁ ‘କର୍ତ୍ତବ୍ୟପଥ‘ରେ ନାମିତ କରିଛନ୍ତି । ଏଭଳି ନିଷ୍ପତ୍ତି ପଛରେ ପ୍ରଭୁ ଶ୍ରୀରାମଙ୍କ ବାଣୀ ପ୍ରେରଣା ଯୋଗାଇଥିବା ମୋଦୀ କହିଛନ୍ତି । ଏପରିକି ପ୍ରଭୁ ଶ୍ରୀରାମଙ୍କ ‘କର୍ତ୍ତବ୍ୟ ବଳ’ର ବାଣୀକୁ ଅନୁସରଣ କରି ତାଙ୍କ ସରକାର ‘ସବ୍‌କା ସାଥ୍ ସବ୍‌କା ବିକାଶ’ ସ୍ଲୋଗାନ ଦେଇଥିବା ମୋଦୀ ସ୍ୱୀକାର କରିଛନ୍ତି । ପ୍ରଭୁ ଶ୍ରୀରାମ ରାଜାଭାବେ କେବଳ ନିଜର ସ୍ୱାର୍ଥ ଓ ସ୍ୱାଭିମାନକୁ ଦେଖୁନଥିଲେ, ବରଂ ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧିକୁ ମଧ୍ୟ ଗୁରୁତ୍ୱ ଦେଉଥିଲେ । ତାଙ୍କ ସରକାର ମଧ୍ୟ ଏହି ବାଣୀରେ ପରିଚାଳିତ ହେଉଛନ୍ତି । ଅଯୋଧ୍ୟାରେ ଆୟୋଜିତ ଏହି ଦୀପୋତ୍ସବକୁ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଲୋକ ଟିଭି ମାଧ୍ୟମରେ ଦେଖୁଛନ୍ତି । ରବିବାର ସନ୍ଧ୍ୟାରେ ଅଯୋଧ୍ୟାରେ ପହଞ୍ଚିବାପରେ ମୋଦୀ ସେଠାରେ ନିର୍ମାଣାଧୀନ ରାମମନ୍ଦିରକୁ ଯାଇ ରାମଲାଲାଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ସରଯୁ ନଦୀକୂଳରେ ଆୟୋଜିତ ‘ଆରତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସରଯୁ ନଦୀକୂଳସ୍ଥ ‘ରାମ କି ପୈଦି’ରେ ଏହି ଦିପୋତ୍ସବ ଆୟୋଜିତ ହୋଇଥିଲା । ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟରେ ପ୍ରାୟ ୨୨ ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ଏହାବ୍ୟତୀତ ଅଯୋଧ୍ୟା ସହରର ପ୍ରମୁଖ ଛକସ୍ଥାନରେ ମଧ୍ୟ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ସେଠାରେ ଏକ ଲେଜର ସୋ’ ଓ ଆତସବାଜି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ସହରର ୨୫ଟି ପ୍ରମୁଖ ସ୍ଥାନରେ ‘ରାମଲୀଳା’ ଆୟୋଜିତ ହୋଇଥିଲା । ଏହି ଦୀପୋତ୍ସବ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀ, ଉଚ୍ଚ ପ୍ରଶାସନିକ ଓ ପୁଲିସ ଅଧିକାରୀ ସାମିଲ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ୪ ହଜାର ପୁଲିସ କର୍ମୀ ନିୟୋଜିତ ହୋଇଥିଲେ ବୋଲି ଅଯୋଧ୍ୟା ଡିଭିଜିନାଲ କମିଶନର ନବଦୀପ ରିନ୍‌ୱା କହିଛନ୍ତି । ବିଗତ ଛଅବର୍ଷ ଧରି ଅଯୋଧ୍ୟାରେ ଦୀପୋତ୍ସବ ଆୟୋଜିତ ହୋଇଆସୁଛି । ତେବେ ଦୀର୍ଘ ଦୁଇବର୍ଷ ପରେ ମୋଦୀ ପୁଣି ଏହି ଧାର୍ମିକ ସହର ଗସ୍ତ କରିଛନ୍ତି । ୨୦୨୦ ଅଗଷ୍ଟ ୫ରେ ରାମମନ୍ଦିର ଶିଳାନ୍ୟାସ କରିବାକୁ ମୋଦୀ ଶେଷଥର ଅଯୋଧ୍ୟା ଯାଇଥିଲେ ।

Comments are closed, but trackbacks and pingbacks are open.