ବିରୋଧୀ ଦଳ ନେତାଙ୍କ କଟାକ୍ଷ: ଠିକା ସରକାର ମଧ୍ୟ ଉଚ୍ଛେଦ ହେବା ଦରକାର

30

ଭୁବନେଶ୍ୱର୍‌: ଓଡ଼ିଶାରେ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ । ଗତକାଲି ରାଜ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ସାରା ରାଜ୍ୟରେ ସେଲିବ୍ରେସନ ଚାଲିଛି । ବାଜା ବଜେଇ ବାଣ ଫୁଟାଇ ସବୁ ବର୍ଗର ସରକାରୀ ଠିକା କର୍ମଚାରୀ ଏହି ଖୁସି ମନାଇଛନ୍ତି । ତେବେ ଠିକା ନିଯୁକ୍ତି ଭଳି ଠିକା ସରକାର ମଧ୍ୟ ଉଚ୍ଛେଦ ହେବା ଦରକାର ବୋଲି କହି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କଟାକ୍ଷ କରିଛନ୍ତି ।
ସେ କହିଛନ୍ତି ଯେ ନିର୍ବାଚନ ଆସିଲେ ନବୀନବାବୁ ଓଡ଼ିଶାବାସୀଙ୍କ ଲାଗି ମାଳ ମାଳ ଯୋଜନା ଭେଟି ଦେଇଥାନ୍ତି । ସେହି ଯୋଜନା ନିର୍ବାଚନ ସରିବା ପରେ କାର୍ଯ୍ୟକାରୀ ହୁଏ କି ନାହିଁ ତାହାର ଜବାବ ନବୀନବାବୁଙ୍କ ପାଖରେ ନଥାଏ । ଏବେ ନିର୍ବାଚନ ପାଖେଇ ଆସିବାରୁ ଓଡ଼ିଶାର ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଥା ଉଚ୍ଛେଦର ନାରା ଦେଇ ଏକ ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଉଚ୍ଛେଦ ପ୍ରଥାକୁ ଭିତ୍ତି କରି ଶ୍ରୀ ମିଶ୍ର କହିଛନ୍ତି ଯେ,ରାଜ୍ୟରେ କଣ୍ଟ୍ରାକ୍ଟର ଜରିଆରେ ଯେତେ ଠିକା କର୍ମଚାରୀ ନିଯୁକ୍ତି ହୋଇଛନ୍ତି ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନବୀନବାବୁ ଉତ୍ତର ରଖନ୍ତୁ । ବ୍ଲକଗ୍ରାଣ୍ଡ ଶିକ୍ଷକ, ଗ୍ରାମସାଥୀ, କୃଷକସାଥୀ, ପ୍ରାଣୀମିତ୍ର, ରିସୋର୍ସ୍ କର୍ମଚାରୀ ଓ ଚୌକିଦାରଙ୍କ ଭବିଷ୍ୟତ କଣ ବୋଲି ମଧ୍ୟ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଓଡ଼ିଶା ସରକାର ଠିକାରେ ଚାଲିବା ସହ ସମସ୍ତ ସରକାରୀ କାର୍ଯ୍ୟ ମଧ୍ୟ ଠିକାରେ ଚାଲିଛି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ କିଛି ନୂତନତ୍ୱ ନାହିଁ ଏହା କେବଳ ଧୂଆଁ ବାଣ ସଦୃଶ । ଯଥାଶୀଘ୍ର ରାଜ୍ୟରୁ ବି ଠିକା ସରକାର ଉଚ୍ଛେଦ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Comments are closed, but trackbacks and pingbacks are open.