କେରଳରେ ଦୁଇ ମହିଳାଙ୍କୁ ବଳି ପ୍ରସଙ୍ଗ, ଭଣ୍ଡବାବା ମୁଖ୍ୟ ଅଭିଯୁକ୍ତ: ଶବକୁ ୫୬ ଖଣ୍ଡରେ କାଟି ରନ୍ଧା ମାଂସ ଖାଇଛନ୍ତି

28

ଥିରୁଅନନ୍ତପୁରମ: କେରଳର ତ୍ରିରୁଭଲ୍ଲା ଜିଲ୍ଲାରେ ଜଣେ ଡାକ୍ତର ଦମ୍ପତି ଧନଲୋଭରେ ଭଣ୍ଡବାବାଙ୍କ ସହାୟତାରେ ଦୁଇଜଣ ମହିଳାଙ୍କୁ ବଳି ଦେଇଥିବା ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପ୍ଟେମ୍ବର ୨୭ରେ ଏହି ଲୋକହର୍ଷଣକାରୀ ଘଟଣା ଘଟିଥିଲେ ସୁଦ୍ଧା କେରଳ ପୁଲିସ ମଙ୍ଗଳବାର ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଜେରା ସମୟରେ ଅଭିଯୁକ୍ତମାନେ ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଦୁଇ ମୃତକଙ୍କ ମୃତଦେହକୁ ମୋଟ ୫୬ ଖଣ୍ଡରେ କଟାଯାଇଥିଲା । ସେଥିମଧ୍ୟରୁ କିଛି ମାଂସ ରନ୍ଧାଯାଇଥିବାବେଳେ ଅଭିଯୁକ୍ତମାନେ ତାହା ଖାଇଥିବା ପୁଲିସ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି । ଡାକ୍ତରଙ୍କ ପତ୍ନୀ ଲୈଲା କହିଛନ୍ତି ଯେ ମୃତକଙ୍କ ମାଂସକୁ ରାନ୍ଧି ଖାଇଲେ ଅଧିକ ସୁଫଳ ମିଳିବ ବୋଲି ସାଫି ସେମାନଙ୍କୁ ବୁଝାଇଥିଲା । ତେଣୁ ସାଫି କଥାରେ ବିଶ୍ୱାସ କରି ଆମେ ରନ୍ଧାମାଂସ ଖାଇଥିବା ସେ ସ୍ୱୀକାର କରିଛନ୍ତି । ଅପରପକ୍ଷରେ କୋଚି ପୁଲିସ କମିଶନର ସି.ଏଚ୍‌.ନାଗାରାଜୁ କହିଛନ୍ତି ଯେ ଭଣ୍ଡବାବା ମହମ୍ମଦ ସାଫିର ନିର୍ଦ୍ଦେଶ ମୁତାବକ ଏହି ଦୁଇ ମହିଳାଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି । ଗଳାକାଟି ହତ୍ୟା କରାଯିବା ପୂର୍ବରୁ ଭଣ୍ଡବାବା ସଂପୃକ୍ତ ମହିଳାଙ୍କୁ ଅକଥନୀୟ ଯୌନ ନିର୍ଯାତନା ମଧ୍ୟ ଦେଇଥିଲା । ସେ ଜଣେ ମାନସିକ ଅପରାଧୀ ଏବଂ ମହିଳାଙ୍କ ପ୍ରତି ଭୀଷଣ ଆସକ୍ତି ରଖୁଥିବା ପୁଲିସ ଜାଣିବାକୁ ପାଇଛି । ତେବେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଯୌନ ନିର୍ଯାତନା ସମ୍ପର୍କରେ ବିଶେଷ ତଥ୍ୟ ପ୍ରଦାନ କରିନଥିବା ଜଣାପଡିଛି । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ସାଫିକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଡାକ୍ତର ଦମ୍ପତିଙ୍କୁ ପ୍ରବର୍ତ୍ତାଇ ଏଭଳି ନାରକୀୟ କାଣ୍ଡ ଘଟାଇବାରେ ସାଫିର ଭୂମିକା ଅଧିକ ବୋଲି ପୁଲିସ କହିଛି । ତିନି ଅଭିଯୁକ୍ତ ଦୁଇ ମହିଳାଙ୍କୁ ପଥିନାମଥିଟ୍ଟା ଜିଲ୍ଲାର ଏଲାନ୍‌ଉର ସହରକୁ ନେଇ ବୀଭତ୍ସଭାବେ ହତ୍ୟା କରିଥିଲେ । ଏହାପରେ ସେମାନେ ମୃତଦେହକୁ ଖଣ୍ଡ ଖଣ୍ଡ କାଟି କିଛି ଅଂଶ ରାନ୍ଧିବାପରେ ଅବଶିଷ୍ଟକୁ ପୋତିଦେଇଥିଲେ । ମୃତ ମହିଳାଙ୍କ ପରିବାରବର୍ଗ ଥାନାରେ ନିଖୋଜ ମାମଲା ରୁଜୁ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୁଲିସ ଶେଷରେ ତ୍ରିରୁଭିଲ୍ଲାରେ ପହଞ୍ଚିଥିଲା । ସେଠାକାର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ପ୍ରଥମେ ଡାକ୍ତର ଦମ୍ପତିଙ୍କୁ ଅଟକ ରଖି ଜେରା କରିବାପରେ ସେମାନେ ସବୁ ରହସ୍ୟ ଉନ୍ମୋଚନ କରିଥିଲେ ।
ସୂଚନାଯୋଗ୍ୟ ଡାକ୍ତର ଭାଗବତ ସିଂହ ଦୀର୍ଘଦିନ ଧରି ଘୋର ଆର୍ôଥକ ସଙ୍କଟ ମଧ୍ୟରେ ଗତି କରୁଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱାମୀଙ୍କ ସମସ୍ୟାର ସମାଧାନ ପାଇଁ ପତ୍ନୀ ଲୈଲା ଫେସ୍‌ବୁକ୍ ଜରିଆରେ ଭଣ୍ଡବାବା ସାଫିଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁଇଜଣ ମହିଳାଙ୍କୁ ବଳି ଦେଇପାରିଲେ, ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସାଫି ସେମାନଙ୍କୁ ପ୍ରବର୍ତ୍ତାଇଥିଲା । ଡାକ୍ତର ଦମ୍ପତି ଏଥିରେ ରାଜି ହେବାପରେ ପଦ୍ମା ଓ ରୋଜାଲିନ ନାମ୍ନୀ ଦୁଇଜଣ ମହିଳାଙ୍କୁ ସାଫି ନିଜ ଜାଲରେ ଫସାଇଥିଲା । ଏହି ଦୁଇ ମହିଳା ଲଟେରୀ ଟିକଟ ବିକ୍ରିକରି ଗୁଜରାଣ ମେଣ୍ଟାଉଥିଲେ । ଅଧିକ ଧନପ୍ରାପ୍ତି ଲୋଭ ଦେଖାଇବାରୁ ସେମାନେ ସାଫି କଥାରେ ବିଶ୍ୱାସ କରିଥିଲେ । ସାଫି ପ୍ରଥମେ ପଦ୍ମାଙ୍କୁ ଡାକ୍ତରଙ୍କ ଘରକୁ ଆଣି ହତ୍ୟା କରିଥିଲେ । ଏହାର କିଛିଦିନ ବ୍ୟବଧାନରେ ରୋଜାଲିନ ମଧ୍ୟ ସମଦଶା ଭୋଗିଥିଲେ । ଡାକ୍ତର ଦମ୍ପତି ଏଥିପାଇଁ ସାଫିକୁ ପାରିଶ୍ରମିକ ବାବଦରେ ୧.୫ ଲକ୍ଷ ଟଙ୍କା ଦେଇଥିଲେ । କେରଳ ଭଳି ଏକ ଉଚ୍ଚଶିକ୍ଷିତ ରାଜ୍ୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନରବଳି ପ୍ରଥାକୁ କାର୍ଯ୍ୟକାରୀ କରାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି । ଏପରିକି କେରଳ ହାଇକୋର୍ଟ ବିଚାରପତିମାନେ ମଧ୍ୟ ଏହି ଘଟଣା ଶୁଣି ସ୍ତବ୍ଧ ହୋଇପଡିଛନ୍ତି । ପୁଲିସ ସୂଚନା ଅନୁଯାୟୀ ସାଫି ହେଉଛି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତା ନାମରେ ପୂର୍ବରୁ ୮ଟି ହତ୍ୟା ଓ ବଳାତ୍କାର ମାମଲା ରୁଜୁ ହୋଇସାରିଛି । ପ୍ରଥମେ ଟ୍ରକ୍ ଡ୍ରାଇଭରଭାବେ କାର୍ଯ୍ୟ କରୁଥିବା ସାଫି ୨୦୨୦ ମସିହାରେ ଜଣେ ୭୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଜେଲ ଯାଇଥିଲା । ଜାମିନରେ ଆସିବାପରେ ସାଫି ଚଳିତବର୍ଷ ପ୍ରାରମ୍ଭରେ କୋଚି ସହରକୁ ପଳାଇ ଆସି ବସବାସ କରୁଥିଲା । ମୋଟ ୮ଟି ମଧ୍ୟରୁ ତିନିଟି ମାମଲାରେ ସାଫିକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଘଟଣାରେ ସେ ଫେରାର ହେବାରେ ସଫଳ ହୋଇଥିଲା ।

Comments are closed, but trackbacks and pingbacks are open.