ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ

31

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ଶେଷକୃତ୍ୟ ମଙ୍ଗଳବାର ତାଙ୍କର ପୈତୃକ ଗ୍ରାମ ସଫୈଇଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହୋଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଇଥିଲେ । ମୁଲାୟମଙ୍କ ପରିବାର ସହ ଘନିଷ୍ଠ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଓ ତାଙ୍କର ଅଭିନେତା ପୁତ୍ର ଅଭିଷେକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜ୍ୟେଷ୍ଠପୁତ୍ର ଅଖିଳେଶ ଯାଦବ ମୁଖାଗ୍ନି ଦେଇଥିଲେ । ୮୨ ବର୍ଷୀୟ ମୁଲାୟମଙ୍କର ସୋମବାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କର ମରଶରୀରକୁ ସୋମବାର ସନ୍ଧ୍ୟାରେ ପୈତୃକ ଗ୍ରାମକୁ ଅଣାଯାଇଥିଲା । ସହସ୍ରାଧିକ ସମର୍ଥକ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ମୁଲାୟମଙ୍କ ମରଶରୀରକୁ ଶୋଭାଯାତ୍ରାରେ ସଫୈଇ ମେଳା ଗ୍ରାଉଣ୍ଡ ପର୍ଯ୍ୟନ୍ତ ନିଆଯାଇଥିଲା । ମରଶରୀର ରଖାଯାଇଥିବା ଟ୍ରକ୍‌କୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ଅଖିଳୋଶଙ୍କ ସମେତ ମୁଲାୟମଙ୍କ ପରିବାରର କେତେକ ସଦସ୍ୟ ଉକ୍ତ ଟ୍ରକ୍‌ରେ ଯାତ୍ରା କରିଥିଲେ । କଲେଜ ଶିକ୍ଷା ଶେଷ କରିବାପରେ ମୁଲାୟମ ଷାଠିଏ ଦଶକରେ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ । ବିଭିନ୍ନ ଦଳରେ ସାମିଲ ହେବାପରେ ୧୯୯୨ରେ ସେ ସମାଜବାଦୀ ପାର୍ଟି ଗଠନ କରିଥିଲେ । ତାଙ୍କର ରାଜନୈତିକ କ୍ୟାରିୟରରେ ମୁଲାୟମ ୮ ଥର ବିଧାୟକ, ୭ ଥର ସାଂସଦ, ୩ ଥର ମୁଖ୍ୟମନ୍ତ୍ରୀ ଏବଂ ଥରେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

Comments are closed, but trackbacks and pingbacks are open.