ରାଜ୍ୟରେ ୧୯ଶହ ୨୩ କୋଟି ଟଙ୍କାର ମୋଟ୍‌ ୧୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

24

ରାଜ୍ୟରେ ୧୯ଶହ ୨୩ କୋଟି ଟଙ୍କାର ୧୦ଟି ନୂଆ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ ମଞ୍ଜୁରୀ । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରୁ ଆସିବ ୧୯୨୩ କୋଟି ଟଙ୍କାର ନିବେଶ ।୫୧୭୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ।

ସମୟାନୁବନ୍ଧିତ କ୍ଷେତ୍ରାୟନ ଓ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିଶ୍ଚିଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, ଆଇଟି ଓ ଇଏସଡିଏମ୍‌, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ପର୍ଯ୍ୟଟନ ଓ ଭିତ୍ତିଭୂମି ଆଦି କ୍ଷେତ୍ର ସହ ଜଡ଼ିତ ।

ସେହିପରି ବାଲେଶ୍ୱରର ସୋମନାଥପୁର ଶିଳ୍ପାଂଚଳରେ ୧୫୦କୋଟି ଟଙ୍କାରେ ଆଇଏଫବି ଇଣ୍ଡଷ୍ଟ୍ରିଜ ଦ୍ୱାରା ଆକ୍ୱାଫିଡ୍ ମାନୁଫାକଚରିଂ କରାଯିବ । ଏଥିରେ ୨୭୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଏଲ ଇଣ୍ଡିଆ ୧୦୮ କୋଟି ଟଙ୍କା ବ୍ୟୟରେ ତୈଳ ଓ ଗ୍ୟାସ ଅନୁସନ୍ଧାନ ୟୁନିଟ୍ ଖୋଲିବ ଓ ସେଥିରେ ୧୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କେନ୍ଦୁଝରର ସୈନକୁଲ ଶିଳ୍ପାଂଚଳରେ ଅଫସୋର ଇନଫ୍ରାଷ୍ଟକଚର ୫୪କୋଟି ଟଙ୍କା ବ୍ୟୟରେ ପାଇପିଂ ସ୍ପୁଲ ଓ ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବ । ଏଥିରେ ୧୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ଖୋର୍ଦ୍ଧାରେ ମେହାନ ଇଣ୍ଡଷ୍ଟ୍ରିଜ୍ ୫୦କୋଟି ଟଙ୍କା ବ୍ୟୟରେ ଇପିଏଫ ଫୋମ, ବ୍ରାଣ୍ଡେଡ୍ ଫୋମ୍ ଓ ମେମୋରି ଫୋମ୍ ଉତ୍ପାଦ କାରଖାନା ନିର୍ମାଣ କରିବ ଓ ଏଥିରେ ୫୦୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ପୁରୀର ନୂଆ ମେରାଇନ୍ ଡ୍ରାଇଭ ରୋଡରେ ୧୭୦କୋଟି ଟଙ୍କା ବ୍ୟୟରେ ଏମଏମ୍ ରିସୋର୍ଟସ ପକ୍ଷରୁ ଫାଇଭଷ୍ଟାର ହୋଟେଲ ନିର୍ମାଣ ହେବ । ଏଥିରେ ୧୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଖୋର୍ଦ୍ଧାରେ ଏସଜିପି ଇଣ୍ଡିଆ ଦ୍ୱାରା ୯୦କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକ୍ ପାର୍କ ଓ ଆସେମ୍ବିଲିଂ ରିସାଇକ୍ଲିଂ ୟୁନିଟ୍ ନିର୍ମାଣ କରାଯିବ ଓ ଏଥିରେ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଖୋର୍ଦ୍ଧାରେ ଜୟବାଲାଜୀ ଆଗ୍ରୋ ପ୍ରଡକ୍ଟସ ପକ୍ଷରୁ ୫୪କୋଟି ଟଙ୍କା ବ୍ୟୟରେ ଓୟାରହାଉସିଂ ତଥା ଲଜିଷ୍ଟିକ ପାର୍କ ନିର୍ମାଣ କରାଯିବ ଓ ଏଥିରେ ୨୫୮ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

Comments are closed, but trackbacks and pingbacks are open.