ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଶୁକ୍ରବାର ମୁମ୍ବାଇର ଏକ ଗୋଦାମରୁ ୧୨୦ କୋଟି ଟଙ୍କା ମୂଲ୍ୟର ୬୦ କେଜି ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟରୁ ଜଣେ ପୂର୍ବତନ ପାଇଲଟ୍ ସୋହେଲ୍ ଗଫାର୍ଙ୍କ ସମେତ ଏୟାର୍ ଇଣ୍ଡିଆର ଦୁଇଜଣ ସାମିଲ । ସୋହେଲ୍ କିଛିଦିନ ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ଚାକିରି ଛାଡ଼ିଥିଲେ । ଏଜେନ୍ସିର ଜଣେ ଅଧିକାରୀଙ୍କ ଅନୁସାରେ ଏହି ଡ୍ରଗ୍ସ କାର୍ଟେଲ୍ ବଜାରରେ ୨୨୫ କେଜି ମେଫେଡ୍ରୋନ୍ ଡ୍ରଗ୍ ବିକିସାରିଛି । ବାକି ୬୦ କେଜି ଜବତ ହୋଇଛି । ପୁଲିସ୍ ଅନୁସାରେ ଗିରଫ ବ୍ୟକ୍ତିମାନେ କୌଣସି ଏକ ବଡ଼ ଡ୍ରଗ୍ସ ନେଟ୍ୱାର୍କ ସହ ସାମିଲ । ଚଳିତ ସପ୍ତାହରେ ଗୁଜରାଟର ଜାମନଗରରେ ଡ୍ରଗ୍ସ ସ୍ମଗଲିଂ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଜାମନଗରସ୍ଥିତ ନୌସେନାର ଗୁଇନ୍ଦା ସୂଚନା ଅନୁସାରେ ମୁମ୍ବାଇ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ ହୋଇଥିଲା । ଶୁକ୍ରବାରର ମାମଲା ଏହି ମାମଲା ସହିତ ସାମିଲ ଥିବା କୁହାଯାଉଛି । ଚଳିତବର୍ଷ ଅଗଷ୍ଟରେ ବଡ଼ୋଦରାରେ ୨୦୦ କେଜିର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଥିଲା । ଏପ୍ରିଲ୍ରେ କାଣ୍ଡ୍ଲା ପୋର୍ଟରୁ ୨୬୦ କେଜି ଡ୍ରଗ୍ସ ଜବତ ହୋଇଥିଲା । ଏହି ପ୍ରକାରେ ଗତ ସେପ୍ଟେମ୍ବରରେ ମୁମ୍ବାଇ ପୋର୍ଟରୁ ୨୧ ହଜାର କୋଟି ଟଙ୍କା ସବୁଠୁ ନିଶାସକ୍ତ ଡ୍ରଗ୍ସ ଜବତ କରାଯାଇଥିଲା ।
Comments are closed, but trackbacks and pingbacks are open.